(ଓଡିଶାସ୍ପୋର୍ଟସ୍): ଗତକାଲି ସ୍ଥାନୀୟ ଆର ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ଶ୍ରୀଲଙ୍କା ୯୧ ରନରେ ପରାସ୍ତ କରିଛି । ଦ୍ରୁତ ବୋଲର ଲାସିଥ ମାଲିଙ୍ଗା ଶ୍ରୀଲଙ୍କାକୁ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । କ୍ୟାରିୟରର ଅନ୍ତିମ ମ୍ୟାଚରେ ମାଲିଙ୍ଗା ୯.୨ ଓଭରରେ ୨ ଓଭର ମେଡେନ ନେଇ ମାଲିଙ୍ଗା ୩୮ ରନ ଦେଇଥିବା ବେଳେ ୩ ଜଣ ବାଂଲାଦେଶୀ ବ୍ୟାଟ୍ସମ୍ୟାନଙ୍କୁ ପାଭଲିଅନ ଫେରାଇଥିଲେ ।
ମ୍ୟାଚ ପରେ ମାଲିଙ୍ଗା ଭାବୁକ ସ୍ୱରରେ କହିଛନ୍ତି, ମୁଁ ଭାବୁଛି, ଏହା ଭଲ ସମୟ ଏବଂ ମୋର ଅବସର ନେବାର ଦରକାର ଅଛି । ମୁଁ ବିଗତ ୧୫ ବର୍ଷ ହେଲା ଦେଶ ପାଇଁ କ୍ରିକେଟ ଖେଳିଛି । ମୁଁ ଭାବୁଛି ଏହା ଠିକ ସମୟ । ମୋତେ ଆଗକୁ ବଢ଼ିବାର ଅଛି କାରଣ ଆମକୁ ୨୦୨୩ ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ମୋତେ ଲାଗୁଛି ମୋର ସମୟ ଶେଷ ହୋଇଯାଇଛି ।
ବର୍ଷ ୨୦୦୪ରେ ୟୁଏଇ ବିପକ୍ଷରେ ପଦାର୍ପଣ କରିଥିବା ମାଲିଙ୍ଗା କହିଛନ୍ତି, ବିଜୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଆମେ ଯୁବ ଟିମ ଏବଂ ସବୁବେଳେ ଜିତିବା ଦରକାର ଅଛି । ଅଧିନାୟକ ମୋର ପୂରା କ୍ରିକେଟ କ୍ୟାରିୟର ସମୟରେ ମୋଠାରୁ ୱିକେଟ ଆଶା କରିଥିଲେ । ମୁଁ ସବୁବେଳେ ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିଛି । ଏଥି ପାଇଁ ସଫଳ ମଧ୍ୟ ରହିଛି । ଏବେ ଯୁବ ବୋଲରଙ୍କୁ ମ୍ୟାଚ ଜିତିବା ପାଇଁ ପ୍ରଦର୍ଶନ କରିବାକୁ ହେବ । ତା’ ପରେ ଯାଇ ଲୋକେ କହିବେ ଶ୍ରୀଲଙ୍କା ମ୍ୟାଚ ୱିନର ।
ଶ୍ରୀଲଙ୍କାର ଅଧିନାୟକ ଦିମୁଥ କରୁଣାରତ୍ନେ ମଧ୍ୟ ମାଲିଙ୍ଗାଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଆମେ ମାଲିଙ୍ଗାଙ୍କୁ ବିଜୟର ପୁରସ୍କାର ଦେଇଛୁ । ଏବେ ଆମକୁ ତାଙ୍କ ସ୍ଥାନରେ ଅନ୍ୟ ଏକ ବୋଲର ଖୋଜିବାକୁ ପଡ଼ିବ ।
previous post