Cricket

କ୍ରିକେଟ ପ୍ରେମୀଙ୍କୁ ମାଡ଼, ବଡ ବଡ଼ିଆଙ୍କୁ ନକଲି ପାସ୍

ଭୁବନେଶ୍ୱର: ଧିରେ ଧିରେ ଖୋଲୁଛି ନକଲି ପାସ ଗୁମର । ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ରେ ନକଲି ପାସ୍ କାରବାର ପଛର ସତ ବାହାରକୁ ଆସିବାରେ ଲାଗିଛି । ନକଲି ଟିକେଟରେ ଷ୍ଟାଡିୟମକୁ ପଶିବା ଘଟଣା ସାମନାକୁ ଆସିବା ପରେ ବଢୁଛି ବାଦବିବାଦ। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର ।ସେ କହିଛନ୍ତି, ଅଭିଯୋଗ ହେଲେ ତଦନ୍ତ କରିବୁ । ପୋଲିସ ନୁହେଁ ଓସିଏ ଇସ୍ୟୁ କରିଥିଲା ପାସ୍ ।

ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ରେ ନକଲି ପାସ୍ ନେଇ ମାଳମାଳ ଲୋକ ଷ୍ଟାଡିୟମ୍ ଭିତରେ ପଶି ପଡିଆରେ ବୁଲୁଥିଲେ । ହାଇସିକ୍ୟୁରିଟି ଜୋନକୁ ଯାଇ ଫଟୋ ମଧ୍ୟ ଉଠାଉଥିଲେ ଆଉ ସୋସିଆଲ ମିଡିଆରେ ଅପଲୋଡ୍ ବି କରୁଥିଲେ । ତେବେ ଥରେ ଭଲ କରି ଦେଖନ୍ତୁ ଏହି ନକଲି ପାସକୁ, ଏହି ନକଲି ପାସ ଗୁଡିକ ଦେଖିବାକୁ ଠିକ ଅସଲି ପାସ୍ ଭଳି । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ ରହିଛି । ପାସ୍ ଉପରେ ବ୍ୟକ୍ତିଙ୍କ ପରିଚୟ ରହିଛି ଆଉ ବେକରେ ଓସିଏ ଫିତା ବି ରହିଛି । ହେଲେ କାହାର ପରିଚୟ ‘ଏମଏଲଏ କ୍ରିଉ’ ତ ଆଉ କାହାର ପରିଚୟ ‘ବିଜେଡି ଭଲ୍ୟୁଂଟିଅର’ ବୋଲି ଲେଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଏମଏଲଏ କ୍ରିଉ’ ଲେଖାଥିବା ନକଲି ପାସରେ ଗଣମାଧ୍ୟମ ରିପୋର୍ଟର ଅବା କ୍ୟାମେରାମ୍ୟାନ୍ ଆଦି ଡ୍ୟୁଟି ଲେଖାଯାଇଛି । ଏପରି ହଜାରେରୁ ଅଧିକ ନକଲି ପାସ୍ ନେଇ ଅତି ସହଜରେ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିଥିଲେ । ଏମାନଙ୍କ ମଧ୍ୟରୁ ଅନେକ ନିଜ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି ।

ଏଠି ପ୍ରଶ୍ନ ଉଠୁଛି କିଏ ଏହି କେଳେଙ୍କାରୀରେ ସାମିଲ ? କାହିଁକି ଖଣ୍ଡିଏ ଟିକେଟ୍ ପାଇଁ ନିରାଶ ହେଲେ କ୍ରୀଡ଼ାପ୍ରେମୀ ? । ଅନ୍ୟପକ୍ଷେ, ବାରବାଟୀରେ ଟିକେଟ ନେବା ପାଇଁ ଧାଡି ଲଗାଇଥିବା କ୍ରିକେଟପ୍ରେମୀଙ୍କ ଉପରେ ଆଖିବୁଜା ଲାଠିଚାର୍ଜ କରିଥିଲା ପୋଲିସ । ହେଲେ ମାଳମାଳ ନକଲି ପାସଧାରୀଙ୍କୁ ଧରିପାରିଲାନି କେମିତି? ନକଲି ପାସ୍ ସଂପର୍କରେ କେମିତି ଜାଣିପାରିଲେନି ଓସିଏ କର୍ତୃପକ୍ଷ ? ଏତେ କଡ଼ା ବ୍ୟବସ୍ଥା ସତ୍ତ୍ୱେ ଷ୍ଟାଡିୟମର ସବୁ ଗେଟ୍ ଦେଇ କେମିତି ପଶିଲେ ନକଲି ପାସଧାରୀ ? ବାରବାଟୀ ଷ୍ଟାଡିୟମର ସିଟ୍ ସଂଖ୍ୟା ୪୪ ହଜାରରୁ ଅଧିକ । ଏଥିରୁ ପ୍ରାୟ ୨୫ ହଜାର ଟିକେଟ୍ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବିକ୍ରି କରାଯାଇଥିବା ବେଳେ କୁଆଡ଼େ ଗଲା ବଳକା ଟିକେଟ । କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି ଏହି ନକଲି ପାସ କେଳେଙ୍କାରୀର ଚେର ? ଏହା ପଛରେ କାହାର ରହିଛି ହାତ ?

Related posts

ସୁପର-୪ରେ ବର୍ଷା ସାଜିବ କି ବାଧକ?

Odisha Sports Bureau

ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦

Odisha Sports Bureau

୨୦ ବର୍ଷ ତଳର ବଦଲା ନେବ ଭାରତ; ଅଷ୍ଟ୍ରେଲିଆକୁ ଦେବ ମୁହଁତୋଡ ଜବାବ

Odisha Sports Bureau