ଭୁବନେଶ୍ୱର: ବିସିସିଆଇର ବଡ ନିଷ୍ପତ୍ତି । ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମହିଳା ଅମ୍ପାୟାର୍ସ ନିଯୁକ୍ତ ହେବେ । ମହିଳା ଅମ୍ପାୟାର୍ସଙ୍କୁ ଆଗାମୀ ରଣଜୀ ଟ୍ରଫିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିବ ବୋଲି ଜଣେ ବିସିସିଆଇର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି । ଫଳରେ ବୃନ୍ଦା ରାଠୀ ଜନନୀ ନାରାୟଣନ ଓ ଗାୟତ୍ରୀ ବେଣୁଗୋପାଳନଙ୍କୁ ସିଲେକ୍ଟ କରାଯାଇଛି । ମହିଳା ଆଇପିଏଲ ପାଇଁ ଘୋଷଣା ପରେ ବିସିସିଆଇ ମହିଳାଙ୍କୁ ନେଇ ଏହି ବଡ ନିଷ୍ପତ୍ତି ନେଇଛି ।ଅନେକ ରାଜ୍ୟର କ୍ରିକେଟ ସଂଘ ଏବେ ମହିଳା କ୍ରିକେଟ ବ୍ୟତୀତ ସ୍ଥାନୀୟ ସ୍ତରରେ ପୁରୁଷ କ୍ରିକେଟରେ ବି ମହିଳା ଅମ୍ପାୟାର୍ସମାନଙ୍କୁ ସୁଯୋଗ ଦେଇଛି । ହେଲେ ଏପର୍ୟ୍ୟନ୍ତ ବିସିସିଆଇ ତରଫରୁ କେବେ ବି ମହିଳା ଅମ୍ପାୟାର୍ସ ମାନଙ୍କୁ ପୁରୁଷଙ୍କ ସିନିୟର୍ସ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାରିଂ କରିବାକୁ ନିଯୁକ୍ତି ଦେଇ ନଥିଲା ।
ତେବେ ବୃନ୍ଦା ରାଠୀ ଓ ଜନନୀ ନାରାୟଣନ ଅଣ୍ଡର-୨୩ ପୁରୁଷ ସିକେ ନାଇଡୁ ଟ୍ରଫିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିଥିଲା । ମୁମ୍ବାଇର ୩୨ ବର୍ଷିୟା ବୃନ୍ଦା ରାଠୀ ଜଣେ ମିଡିୟମ ସ୍ପେଶ ବୋଲର ଭାବେ ମୁମ୍ବାଇ ୟୁନିଭରସିଟି ପାଇଁ ପ୍ରତିନିଧିତ୍ୱ କରୁଥିଲେ । ସେ ୨୦୧୦ ରେ ବିସିସିଆଇର ସ୍କୋରିଂ ପରୀକ୍ଷା ପାସ୍ କରିଛନ୍ତି । ୨୦୧୩ ମସିହାରେ ହୋଇଥିବା ମହିଳା ବିଶ୍ୱକପରେ ସେ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି କ୍ରମରେ ବୃନ୍ଦା ନ୍ୟୁଜିଲାଣ୍ଡର ଅମ୍ପାୟାର କୈଥୀ କ୍ରାସଙ୍କ ସହ ଭେଟ ହୋଇଥିଲା । ଏହାପରେ ସେ ମୁମ୍ବାଇ କ୍ରିକେଟ ଆସୋସିଏସନ ଓ ବିସିସିଆଇର ଅମ୍ପାୟାରିଂ ପରୀକ୍ଷା ଦେଇ ପାସ୍ କରିଥିଲେ ।ସେପଟେ ୩୬ ବର୍ଷିୟା ଜନନୀ ନାରାୟଣନ କେବେ ବି ଉଚ୍ଚସ୍ତରର କ୍ରିକେଟ ମ୍ୟାଚ ଖେଳି ନାହାଁନ୍ତି । ସେ ୨୦୦୯ ଓ ୨୦୧୨ ମସିହାରେ ତାମିଲନାଡୁ କ୍ରିକେଟ ଆସୋସିଏସନ ସହ ଯୋଗାଯୋଗ କରି ଅମ୍ପାୟାର ହେବାକୁ ଚେଷ୍ଟା କରିଥିଲେ । ୨୦୧୫ ମସିହାରେ ଜନନୀଙ୍କ କଥାରଖି ତାମିଲନାଡୁ କ୍ରିକେଟ ଆସୋସିଏସନ ତରଫରୁ ତାଙ୍କୁ ଏକ ଫର୍ମ ଦିଆଯାଇଥିଲା । ଏହାପରେ ଜନନୀ ବିସିସିଆଇର ଲେବଲ ୨ ଅମ୍ପାୟାରିଂ ପରୀକ୍ଷା ଦେଇ ପାସ୍ କରିଥିଲେ । ତେବେ ଏଭଳି ଅନେକ ମହିଳା ଖେଳାଳୀ ରହିଯାଇଛନ୍ତି , ଯାହାଙ୍କୁ ସେଭଳି କିଛି ସୁଯୋଗ ମିଳିପାରୁନାହିଁ । କିନ୍ତୁ ବିସିସିଆଇର ଏହି ନିଷ୍ପତି ପରେ ଅନେକଙ୍କ ସ୍ୱପ୍ନ ପୂରଣ ହେବ ବୋଲି କୁହାଯାଉଛି ।