Hockey

ଆଜି ହକି ବିଶ୍ୱକପରେ ପାକିସ୍ତାନର ଅଭିଯାନ ଆରମ୍ଭ

(ଓଡିଶା ସ୍ପୋର୍ଟ): ଆଜି ହକି ବିଶ୍ବକପ୍‌ରେ ପାକିସ୍ତାନ ତାର ଅଭିଯାନ ଆରମ୍ଭ କରିବ। ପୁଲ୍ ଅଫ୍ ଡେଥ୍ ‘ଡି’ର ଦ୍ବିତୀୟ ମ୍ୟାଚ୍‌ରେ ପାକିସ୍ତାନ ଭେଟିବ ଜର୍ମାନିକୁ। ସଂଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବା ପୂର୍ବରୁ ୫ଟା ବେଳେ ସମାନ ପୁଲ୍‌ର ପ୍ରଥମ ମ୍ୟାଚ୍‌ରେ ଅନ୍ୟତମ ସଫଳ ବିଶ୍ବକପ୍ ଦଳ ନେଦରଲାଣ୍ଡ ଭେଟିବ ଏସୀୟ ଶକ୍ତି ମାଲେସିଆକୁ। ଏହି ପୁଲରେ ନେଦରଲାଣ୍ଡ ଏବଂ ଜର୍ମାନି ନିଜର ସାମ୍ପ୍ରତିକ ପ୍ରଦର୍ଶନ ବଳରେ ଦାବିଦାର ରହିଛନ୍ତି। ଏହି ପୁଲ୍‌ରେ ସବୁ ଦଳ କିନ୍ତୁ ସିଧାସଳଖ କ୍ବାର୍ଟର ଫାଇନାଲ୍ ଯିବାର ଦକ୍ଷତା ରଖିଛନ୍ତି। ୩ ଥର ବିଜେତା ନେଦରଲାଣ୍ଡ ଏବେ ଏଫ୍‌ଆଇଏଚ୍ ମାନ୍ୟତାରେ ୪ ନମ୍ବର ସ୍ଥାନରେ ଥିବାବେଳେ ପ୍ରତିଦ୍ବନ୍ଦ୍ବୀ ମାଲେସିଆ ରହିଛି ୧୨ତମ ସ୍ଥାନରେ। ମ୍ୟାକ୍ସ କାଲଡାସଙ୍କ ପ୍ରଶିକ୍ଷିତ ୟୁରୋପୀୟ ବିଜେତା ନେଦରଲାଣ୍ଡ୍ ନିଜର ଚତୁର୍ଥ ବିଶ୍ବକପ୍ ହାସଲ ଅଭିଯାନକୁ ବିଜୟ ସହ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ପ୍ରଶିକ୍ଷକ ପଦରୁ ବିତାଡ଼ିତ ରୋଲାଣ୍ଟ୍ ଅଲ୍ଟମ୍ୟାନ ଏବେ ନିଜ ନିଆରା ରଣକୌଶଳ ବଳରେ ମାଲେସିଆକୁ ଗଢ଼ି ତୋଳିଥିବାରୁ ନେଦରଲାଣ୍ଡକୁ ସହଜରେ ବାଟ ଛାଡ଼ିବା ସ୍ଥିତିରେ ନାହାନ୍ତି। ଦ୍ବିତୀୟ ମ୍ୟାଚ୍‌ରେ ପାକିସ୍ତାନ ମହମ୍ମଦ ରିଜୱାନ ସିନିୟରଙ୍କ ଅଧୀନରେ କିଛି କରିସ୍ମା ଛାଡ଼ିବା ଆଶାରେ ରହିଛି। ଭୁବନେଶ୍ବର ପ୍ରଶଂସକମାନେ ଭାରତ ବାଦ୍ ପାକିସ୍ତାନକୁ ସମର୍ଥନ କରିବାର ଉଦାହରଣ ରହିଥିବା‌ରୁ ମଧ୍ୟ ଏହି ପଡ଼ୋଶୀ ଦେଶକୁ ଘରୋଇ ପରିବେଶରେ ଖେଳିବାର ଅନୁଭବ ମିଳିପାରେ। ୨୦୧୪ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଭାରତକୁ ହରାଇବା ପରେ କଳିଙ୍ଗ ପ୍ରଶଂସକଙ୍କୁ ପାକିସ୍ତାନୀ ଖେଳାଳିଙ୍କ ଦୁର୍ବ୍ୟବହାରକୁ ସେମାନେ ଭୁଲି ନ ଥିବାରୁ ଘୃଣାର ଶିକାର ହେବା ଆଶଙ୍କା ମଧ୍ୟ ରହିଛି। ଅନ୍ୟ ସବୁ ତୁଳନାରେ ପାକିସ୍ତାନ ଦଳକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଥିବାରୁ ଏହି ଦଳ ମଧ୍ୟ ଖୋଲା ଅଭ୍ୟାସର ସୁଯୋଗ ପାଇନାହିଁ ।

Related posts

ଲାକ୍ରା ହେବେ ଉପ ଅଧିନାୟକ

ଘୋଷଣା ହେଲା ମହିଳା ବିଶ୍ୱକପ ଦଳ

Odisha Sports Bureau

ହକି ତାରକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

Odisha Sports Bureau