Cricket

ଶ୍ରେୟାସ ଆୟର ଓ ଈଶାନ କିଷନଙ୍କୁ ବିସିସିଆଇର ଆଉ ଏକ ସୁଯୋଗ

ମୁମ୍ବାଇ : ଶ୍ରେୟାସ ଆୟର ଓ ଈଶାନ କିଷନଙ୍କୁ ବିସିସିଆଇର ଆଉ ଏକ ସୁଯୋଗ | କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିଥିବା ଏହି ଦୁଇ ବ୍ୟାଟର ସୁଯୋଗ ପ୍ରଦାନ କରିଛି ବିସିସିଆଇ । ଆଗାମୀ ୨୦୨୪-୨୫ ଘରୋଇ ସିଜନ ପାଇଁ ବିସିସିଆଇ ଉଭୟଙ୍କୁ ଏନ୍ସିଏର ଉଚ୍ଚ ପ୍ରଦର୍ଶନ ପରିଚାଳନା କାର୍ଯ୍ୟକ୍ରମରେ ସ୍ଥାନ ଦେଇଛି । ୩୦ଜଣିଆ ତାଲିକାରେ ଉଭୟଙ୍କ ବ୍ୟତୀତ ଆଇପିଏଲ୍ରେ ଦ୍ରୁତ ବେଗରେ ବୋଲିଂ କରି ଆତଙ୍କ ସୃଷ୍ଟି କରିଥିବା ଯୁବ ଫାଷ୍ଟ୍ ବୋଲର ମୟଙ୍କ୍ ଯାଦବଙ୍କ ସମେତ ସର୍ଫରାଜ ଖାନ୍ଙ୍କ ସାନ୍ ଭାଇ ମୁସିର ଖାନ ମଧ୍ୟ ସ୍ଥାନ ପାଇଛନ୍ତି । ବିସିସିଆଇ ପକ୍ଷରୁ ଖୁବଶୀଘ୍ର ଏହି ଶିବିର ପାଇଁ ତାରିଖ ଘୋଷଣା ହେବ ।

ବେଙ୍ଗାଲୁରୁରେ ପ୍ରତିଷ୍ଠା ହୋଇଥିବା ନୂଆ ଏନ୍ସିଏରେ ଶିବିର ଆୟୋଜିତ ହେବାକୁ ଯାଉଥିବାବେଳେ ଏନ୍ସିଏ୍ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ କାର୍ଯ୍ୟକ୍ରମ ପରିଚାଳନା କରିବେ । ଗତ ସିଜନରେ ବିସିସିଆଇର ନିର୍ଦ୍ଦେଶ ସତ୍ତେ୍ୱ ଆୟର ଓ କିଷନ ରଣଜୀ ଟ୍ରଫିରୁ ଦୂରେଇ ରହିଥିଲେ । ଫଳରେ ଭାରତୀୟ ଦଳ ଚୟନ କମିଟି ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ଦେଇଥିଲେ । ଏପରିକି ଉଭୟ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଘୋଷିତ ଦଳରୁ ବାଦ୍ ପଡ଼ିଥିଲେ । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ବୋର୍ଡ଼ କିମ୍ବା ଜାତୀୟ ଚୟନ କମିଟି ଆୟର ଓ କିଷନଙ୍କ ପ୍ରତ୍ୟାବର୍ତ୍ତନକୁ ବିରୋଧ କରୁନାହିଁ ।

ଯଦି ସେମାନେ ଘରୋଇ କ୍ରିକେଟ୍ ପ୍ରତି ନିଜର ଆଭିମୁଖ୍ୟ ବଦଳାଇବେ ଏବଂ ଆଗାମୀ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ସେମାନଙ୍କୁ ଜାତୀୟ ଦଳରେ ସାମିଲ୍ କରାଯିବ । ଏପରିକି କେନ୍ଦ୍ରୀୟ ଚୁକ୍ତିକୁ ମଧ୍ୟ ଫେରିପାରିବେ ।’ ଆୟର ଆଇପିଏଲ୍ ଫ୍ରାଞ୍ଚାଇଜ କୋଲକାତା ନାଇଟ୍ ରାଇଡର୍ସର ନେତୃତ୍ୱ ନେଉଛନ୍ତି ଏବଂ ଦଳ ପ୍ଲେ-ଅଫ୍ରେ ପ୍ରବେଶ କରିଛି । କିଷନ ପ୍ଲେ-ଅଫ୍ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳ ସଦସ୍ୟ ଥିଲେ । ଏନ୍ସିଏ ଉଚ୍ଚ ପ୍ରଦର୍ଶନ ଶିବିର ପାଇଁ ମନୋନୀତ ହୋଇଥିବା ଖେଳାଳି ତାଲିକାରେ ମୟଙ୍କ୍, ମୁସିର, ଉମ୍ରାନ ମଲ୍ଲିକ, ଅଭେଶ ଖାନ, କୁଲଦୀପ ସେନ, ହର୍ଷିତ ରାଣା, ଖଲିଲ ଅହମ୍ମଦ, ତୁଷାର ଦେଶପାଣ୍ଡେ, ରିୟାନ ପରାଗ, ଆଶୁତୋଷ ଶର୍ମା, ସାଇ ସୁଦର୍ଶନ, ଦେବଦତ୍ତ ପାଡିକଲ, ସାଇ କିଶୋର, ପୃଥ୍ୱୀ ଶ, ସାମ୍ସ ମୁଲାନୀ, ତନୁଷ କୋଟିଆନ୍ଙ୍କ ଭଳି ଦକ୍ଷ ଖେଳାଳି ସାମିଲ ରହିଛନ୍ତି।

Related posts

ଟ୍ରାଇ ସିରିଜରେ ନ୍ୟୁଜିଲ୍ୟାଣ୍ଡ ପାକିସ୍ତାନକୁ ୯ୱିକେଟରେ ପରାସ୍ତ କରିଛି

Odisha Sports Bureau

ୱାର୍ଣ୍ଣରଙ୍କୁ ଆଉ ଟେଷ୍ଟ ଜର୍ସିରେ ଦେଖିବାକୁ ପାଇବେନି ଦର୍ଶକ

Odisha Sports Bureau

ଆଉଟ୍‌ ହେବା ପରେ ଡ୍ରେସିଂ ରୁମରେ ରାଗିଗଲେ କୋହଲି

Odisha Sports Bureau