Hockey Javelin Throw

କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର : ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା ଶ୍ରୀ କିଶୋର ଜେନା ଏବଂ ଶ୍ରୀ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ।

ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି ।

କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଶ୍ରୀ ଜେନା ଏବଂ ଶ୍ରୀ ରୋହିଦାସ କେବଳ ନିଜର ଜନ୍ମମାଟି ନୁହେଁ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି କହିବା ସହିତ ଓଡ଼ିଶାବାସୀଙ୍କ ତରଫରୁ ମୁଁ ଉଭୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଜାଭେଲିନ୍‌ ଥ୍ରୋ ରେ ଶ୍ରୀ ଜେନା ଏବଂ ହକି ତାରକା ଶ୍ରୀ ରୋହିଦାସଙ୍କୁ ଉତ୍ସାହିତ କରିବା ପାଇଁ ଏହି ଆର୍ଥିକ ସହାୟତା ଏକ ପ୍ରୟାସ ମାତ୍ର ।

ଉଭୟଙ୍କ ସାମର୍ଥ୍ୟ ଉପରେ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ବିଶ୍ୱାସ ରହିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠତମ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶିତ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଓଡ଼ିଶାରେ କ୍ରୀଡ଼ା ପ୍ରତିଭାମାନଙ୍କର ଅଭାବ ନାହିଁ । ରାଜ୍ୟର କୋଣଅନୁକୋଣର ଏହି ପ୍ରତିଭାମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତୃଣମୂଳ ସ୍ତରରେ ଆବଶ୍ୟକ ଭିତ୍ତିଭୂମି, ଆର୍ଥିକ ସହାୟତା ଏବଂ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related posts

କିଶୋରଙ୍କୁ ୨୫ ଲକ୍ଷ ପୁରଷ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau

୨-୧ରେ ପାକିସ୍ତାନକୁ ପରାସ୍ତ କରି ଅପରାଜେୟ ଧାରା ଜାରି ରଖିଛି ଭାରତ

Odisha Sports Bureau

ଭୂବନେଶ୍ୱରରେ ପହଁଚିଲେ ଆର୍ଜେଣ୍ଟିନା ଦଳ, ସୁରକ୍ଷା ବ୍ୟବସ୍ଥା କଡାକଡି

Odisha Sports Bureau