Football

ଓଡ଼ିଶା ଏଫ୍‌ସିର ନୂଆ କିଟ୍ ଉନ୍ମୋଚିତ

ଓଡ଼ିଶା ଏଫ୍‌ସି ‘୨୦୨୪-୨୫’ ଋତୁ ଲାଗି ତା’ର ନୂଆ ଜର୍ସି ଉନ୍ମୋଚନ କରିଛି। ଏଥିରେ ଓଡ଼ିଶାର ମହନୀୟ କଳା ସଂସ୍କୃତି ତଥା ପରମ୍ପରା ଏବଂ ବିଶ୍ବ ପ୍ରସିଦ୍ଧ ହସ୍ତତନ୍ତର ଝଲକ ଦେଖିବାକୁ ମିଳୁଛି। ଜର୍ସିର ଡିଜାଇନ୍ ଓ ପ୍ୟାଟର୍ଣ୍ଣର ପ୍ରେରଣା ଓଡ଼ିଶୀ ନୃତ୍ୟରୁ ନିଆଯାଇଛି। କ୍ଲବ୍‌ର ଉଭୟ ପୁରୁଷ ଓ ମହିଳା ଦଳ ଲାଗି ନୂଆ କିଟ୍ ଓ ଜର୍ସି ପ୍ରସ୍ତୁତ କରାଯାଇଛି। ସେହିଭଳି ଘରୋଇ ଓ ବାହାର ମ୍ୟାଚ୍‌ରେ ଖେଳାଳିମାନେ ଅଲଗା ଅଲଗା ଜର୍ସି ପିନ୍ଧି ଖେଳୁଥିବାର ଦେଖିବାକୁ ମିଳିବେ।

ଗୁରୁବାର ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ଏହି କିଟ୍ ଉନ୍ମୋଚନ ଉତ୍ସବ ତଥା ସାମ୍ବାଦିକ ସମ୍ମିଳନୀରେ କ୍ଲବ୍‌ର ସଭାପତି ରାଜ ଅଠୱାଲ୍, ପୁରୁଷ ଦଳର ସ୍ପେନୀୟ ପ୍ରଶିକ୍ଷକ ସର୍ଗିଓ ଲୋବେରୋ ଏବଂ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସପିନ୍ ଛେତ୍ରୀ ଉପସ୍ଥିତ ରହି ଆଗାମୀ ଋତୁରେ ଦଳର ଲକ୍ଷ୍ୟ, ରଣନୀତି ଏବଂ ତୃଣମୂଳ ସ୍ତରରୁ ଫୁଟବଲ୍‌ ବିକାଶ ଲାଗି ନିଆଯିବାକୁ ଥିବା ପଦକ୍ଷେପ ଉପରୁ ପରଦା ଉଠାଇଥିଲେ। ଓଡ଼ିଶାରେ ଫୁଟବଲ୍‌ର ବିକାଶ ଲାଗି କ୍ଲବ୍ ପ୍ରତିଶ୍ରୁତିବଦ୍ଧ। ତେବେ ଏଥିଲାଗି ରାଜ୍ୟ ସରକାର ଏବଂ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ)ର ସହଯୋଗ ନିହାତି ଦରକାର। ଆମେ ସମସ୍ତେ ମିଶି ଓଡ଼ିଶାରେ ଫୁଟ୍‌ବଲ୍‌କୁ ସଫଳତାର ନୂଆ ସ୍ତରକୁ ନେବା ସହ ରାଜ୍ୟରେ ଫୁଟ୍‌ବଲ୍‌କୁ ଅଧିକରୁ ଅଧିକ ଲୋକପ୍ରିୟ କରାଇପାରିବୁ ବୋଲି କହିଥିଲେ ଶ୍ରୀ ଅଠୱାଲ୍। ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଲୋବେରୋ, ଆଗାମୀ ଋତୁରେ ଓଡ଼ିଶା ଏଫ୍‌ସି ଗତ ଋତୁର ସଫଳତା ଦୋହରାଇବ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ। ଏବେଠୁ ଟ୍ରଫି ଜିତିବା କଥା ଭାବିବା ପରିବର୍ତ୍ତେ ଛୋଟ ଛୋଟ ଲକ୍ଷ୍ୟ ଧାର୍ଯ୍ୟ କରି ଆଗକୁ ବଢ଼ିବା ଉପରେ ଜୋର ଦେଇଥିଲେ।

ଦଳରେ କିଛି ପ୍ରତିଭାବାନ୍‌ ନୂଆ ଖେଳାଳି ସାମିଲ ହୋଇଥିବାରୁ ଓଡ଼ିଶା ଏଫ୍‌ସି ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇପାରିଛି ବୋଲି ମତ ଦେଇଥିଲେ। ମହିଳା ଦଳର ପ୍ରଶିକ୍ଷକ ଶ୍ରୀ ଛେତ୍ରୀ ଦଳର ବିକାଶଧାରାକୁ ନେଇ ସନ୍ତୋଷ ଜାହିର କରିଥିଲେ। ଓଡ଼ିଶା ଏଫ୍‌ସିର ମହିଳା ଦଳ ସହ ମୁଁ ପ୍ରଥମରୁ ଅଛି। ଏହାକୁ ନିଜ ହାତରେ ଗଢ଼ିଛି। ଆମେ କ୍ରମାଗତ ଭାବେ ଉନ୍ନତି କରିଚାଲିଛୁ। ଆଗାମୀ ସମୟରେ ମଧ୍ୟ ଏହି ଧାରା ଜାରି ରହିବ ବୋଲି ସେ କହିଥିଲେ। ସେହିଭଳି ୨୦୨୩-୨୪ରେ ଇଣ୍ଡିଆନ୍ ଓମେନ ଲିଗ୍ (ଆଇଡବ୍ଲ୍ୟୁଏଲ୍) ବିଜେତା ହେବା ପରେ ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍ ଲାଗି ମହିଳା ଦଳ ଭଲ ପ୍ରସ୍ତୁତି କରିଛି ବୋଲି ଜଣାଇଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଫାଓ ଯୁଗ୍ମ ସଂପାଦକ ଅଭିଜିତ ପାଲ, ଓଡ଼ିଶା ଏଫ୍‌ସି ପୁରୁଷ ଦଳର ଗୋଲ୍‌ରକ୍ଷକ ଅମରିନ୍ଦର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

Odisha Sports Bureau

କ୍ରୀଡାର ବିକାଶ ପାଇଁ ଅଣ୍ଟା ଭିଡିଲା ଆଳି ଆଥଲେଟିକ ଆସୋସିଏସନ

Odisha Sports Bureau