ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟବଲ । ପ୍ରତ୍ୟେକ କୋଣେ ଅନୁକୋଣେ ଗ୍ରାମାଞ୍ଚଳରେ ସହରାଞ୍ଚଳ ପର୍ୟ୍ୟନ୍ତ ଫୁଟବଲ ଜୀବନ ଭରି ରହିଛି । ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ହୃଦୟରେ ଫୁଟବଲ ହିଁ ଫୁଟବଲ ।ହେଲେ ରାଜ୍ୟ କି କେନ୍ଦ୍ର ସରକାର ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ ଆଜିଯାଏଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ଯାହାକୁ ଫୁଟବଲ ଖେଳାଳୀ ଓ ଫୁଟବଲ ପ୍ରିୟଙ୍କ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ସଭା ସମିତିରେ ମୁଖ୍ୟ ଅତିଥି ହୋଇ ଶାସକ ଦଳ ହେଉ ଅବା ବିରୋଧୀ ଦଳର ନେତୃବୃନ୍ଦ ସବୁ ସମୟରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ସପକ୍ଷରେ ସଭା ସମିତିରେ ଲମ୍ବା ଲମ୍ବା ଭାଷଣ ଦେଉଛନ୍ତି ହେଲେ କାମରେ ଶୂନ । ଖାଲି ଫୁଟବଲ ପ୍ରତି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଫୁଟବଲ ଏକାଡେମୀ ପ୍ରତିଷ୍ଠା ପାଇଁ ଜୋରଦାର ଦାବି କରୁଛି ଅଣରାଜନୈତିକ ସଂଗଠନ ‘ ଭଂଜସେନା’ । ଏନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଭଞ୍ଜସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ସୁନ୍ଦରଗଡ଼ ଜିଲ୍ଲାରେ ହକି ଖେଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଫୁଟବଲ ଖେଳର ଏନ୍ତୁଡ଼ିଶାଳ ମୟୁରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ନେଇ କୌଣସି ଯୋଜନା କରିନଥିବା ଅଭିଯୋଗ ଆଣିଛନ୍ତି ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା । ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେଲେ ଖେଳର ବିକାଶ ସହ ବହୁ ଖେଳାଳୀ ଉପକୃତ ହେବେ । ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ଯୁବ ଫୁଟବଲ ତାରକା ସୃଷ୍ଟି ହୋଇପାରିବେ ଵୋଲି ଅଧ୍ୟକ୍ଷ କଳିଙ୍ଗ କେଶରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଫୁଟବଲ ମଧ୍ୟ ରୋଜଗାର , ଚାକିରୀ ଯୋଗାଇବ ଯୁବ ଖେଳାଳିଙ୍କୁ ।
previous post