Tennis

ୱିମ୍ବଲଡନରେ ଜୋକୋଭିଚ୍‌ଙ୍କ ଐତିହାସିକ ମହାବିଜୟ

ଟେନିସ ତାରକା ନୋଭାକ ଜୋକୋଭିଚ୍ ୱିମ୍ବଲଡନ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ଅଲ୍ ଇଂଲଣ୍ଡ କ୍ଲବର ସେଣ୍ଟର କୋର୍ଟରେ ୩୯ ବର୍ଷୀୟ ଜୋକୋଭିଚ୍ ୱିମ୍ବଲଡନ ଇତିହାସର ସବୁଠାରୁ ଲମ୍ବା ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଜିତି ଏହି ସଫଳତା ପାଇଛନ୍ତି। ପ୍ରାୟ ୫ ଘଣ୍ଟା ୧୫ ମିନିଟ୍ ଧରି ଚାଲିଥିବା ଏହି ରୋମାଞ୍ଚକର ମହାମୁକାବିଲାରେ ସେ ତାଙ୍କଠାରୁ ୧୪ ବର୍ଷ ଜୁନିୟର କାନାଡାର ଫେଲିକ୍ସ ଅଗର-ଆଲିଆସିମଙ୍କୁ ୭-୬ (୧୦), ୩-୬, ୬-୩, ୬-୭ (୪), ୭-୬ (୪) ସେଟ୍‌ରେ ପରାସ୍ତ କରିଛନ୍ତି।

Image

ଓପନ୍ ଯୁଗରେ ସର୍ବାଧିକ ୫୦ଟି ପାଞ୍ଚ ସେଟ୍ ଗ୍ରାଣ୍ଡସ୍ଲାମ୍ ମ୍ୟାଚ୍ ଖେଳି ସେ ସ୍ୱିଜରଲ୍ୟାଣ୍ଡର ଷ୍ଟାନ୍ ୱାୱରିଙ୍କାଙ୍କ ସର୍ବାଧିକ ୪୯ ଥର ଖେଳିବାର ରେକର୍ଡକୁ ଭାଙ୍ଗିଛନ୍ତି। ଲଗାତାର ଅଷ୍ଟମ ଥର ପାଇଁ ୱିମ୍ବଲଡନ ସେମିଫାଇନାଲରେ ପହଞ୍ଚି ସେ ରୋଜର ଫେଡେରରଙ୍କ ଲଗାତାର ୭ଟି ସେମିଫାଇନାଲ ରେକର୍ଡକୁ କାଟିଛନ୍ତି। ଏହାସହ ନିଜ କ୍ୟାରିୟରର ୫୫ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରି ଫେଡେରରଙ୍କ (୪୬ ଥର) ସର୍ବକାଳୀନ ରେକର୍ଡକୁ ଆହୁରି ମଜବୁତ କରିଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଗ୍ରାଣ୍ଡସ୍ଲାମ୍‌ରେ ୧୫ ଥର ସେମିଫାଇନାଲ୍ ଖେଳିବାରେ ସେ ରୋଜର ଫେଡେରର୍ (ଅଷ୍ଟ୍ରେଲିଆନ୍ ଓପନ୍) ଏବଂ ରାଫେଲ୍ ନାଡାଲ୍ (ଫ୍ରେଞ୍ଚ୍ ଓପନ୍)ଙ୍କ ପରେ ବିଶ୍ୱର ତୃତୀୟ ଖେଳାଳି ହୋଇଛନ୍ତି। ୩୯ ବର୍ଷ ୩୮ ଦିନ ବୟସରେ ୱିମ୍ବଲଡନ ସେମିଫାଇନାଲରେ ପହଞ୍ଚି ସେ କେନ୍ ରୋଜୱାଲଙ୍କ ରେକର୍ଡ ଭାଙ୍ଗି ଦ୍ୱିତୀୟ ସବୁଠାରୁ ବୟସ୍କ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି।

Image

ମ୍ୟାଚ୍ ସମୟରେ ଜୋକୋଭିଚ୍ ଗୋଡ଼ ମାଂସପେଶୀରେ ପ୍ରବଳ କଷ୍ଟ ଅନୁଭବ କରିଥିଲେ, ଯାହାପାଇଁ ତାଙ୍କୁ ମେଡିକାଲ୍ ଟାଇମ୍ ଆଉଟ୍ ନେବାକୁ ପଡ଼ିଥିଲା। ତେବେ ଗୋଡ଼ରେ ବ୍ୟାଣ୍ଡେଜ୍ ବାନ୍ଧି ସେ ପୁଣି କୋର୍ଟକୁ ଓହ୍ଲାଇଥିଲେ ଏବଂ ଅଦମ୍ୟ ସାହସର ସହ ଲଢ଼ିଥିଲେ। ଅନ୍ୟପଟେ ଦ୍ୱିତୀୟ ସେଟ୍ ପରେ ସେଣ୍ଟର କୋର୍ଟର ଛାତ ବନ୍ଦ କରିବାର ପ୍ରଶାସନର ନିଷ୍ପତ୍ତି ଉପରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଜୋକୋଭିଚ୍‌ଙ୍କ କହିବା ଅନୁଯାୟୀ, ବାହାରେ ଯଥେଷ୍ଟ ପ୍ରାକୃତିକ ଆଲୋକ ଥିଲା ଏବଂ ଆଉ ଏକ ସେଟ୍ ସହଜରେ ଖେଳାଯାଇପାରିଥାନ୍ତା।

Image

ଏହି ଐତିହାସିକ ବିଜୟ ପରେ ୨୪ ଥରର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ଜୋକୋଭିଚ୍ ବେଶ୍ ଭାବୁକ ହୋଇ କହିଛନ୍ତି, “ମୁଁ ଏବେ ବି ଏହିପରି ଐତିହାସିକ ମୁହୂର୍ତ୍ତ ପାଇଁ ଟେନିସ୍ ଖେଳୁଛି ଏବଂ ଆଜିର ଯୁବ ଖେଳାଳିଙ୍କ ସହ ସମାନ ଟକ୍କର ଦେଇପାରୁଛି, ଏହା ମୋ ପାଇଁ ଏକ ସୁଖଦ ଆଶ୍ଚର୍ଯ୍ୟ।”

ଆଗାମୀ ଶୁକ୍ରବାର ଦିନ ହେବାକୁ ଥିବା ସେମିଫାଇନାଲ୍ ମ୍ୟାଚ୍‌ରେ ସେ ବିଶ୍ୱର ସର୍ବଶ୍ରେଷ୍ଠ ନମ୍ବର-୧ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଜାନିକ୍ ସିନରଙ୍କୁ ଭେଟିବେ। ସିନର ଜର୍ମାନୀର ଜାନ-ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ହରାଇ ଶେଷ ଚାରିରେ ନିଜ ସ୍ଥାନ ପକ୍କା କରିଛନ୍ତି।

Related posts

କତର ଓପନ: ବୋପନ୍ନା ଜିତିଲେ ବର୍ଷର ପ୍ରଥମ ଯୁଗୋଳ ଟାଇଟଲ୍

Odisha Sports Bureau

ଟେନିସରୁ ସନ୍ୟାସ ନେଲେ ଓଜନିଆକିଙ୍କ୍

Odisha Sports Bureau

ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା

Odisha Sports Bureau