(ଓଡିଶା ସ୍ପୋର୍ଟ): ଦୁଇ ବର୍ଷରୁ ଭାରତୀୟ ଦଳରୁ ବାହାରେ ଥିବା ଭାରତୀୟ ଓପନର ଗୌତମ ଗମ୍ଭୀର ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି। ଗୌତମ ନିଜର ଫେସବୁକ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରି ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ସେ ଭିଡ଼ିଓ ସେୟାର କରି କହିଛନ୍ତି ଯେ କଡ଼ା ନିଷ୍ପତ୍ତି ସର୍ବଦା ଦୁଃଖର ସହିତ ନିଆଯାଏ। ୨୦୧୧ ଦିନିକିଆ କ୍ରିକେଟ୍ ବିଶ୍ଵ କପ୍ ବିଜେତା ଭାରତୀୟ ଦଳର ହିରୋ ରହିଥିବା ଗୌତମ ଗମ୍ଭୀର କ୍ୟାରିୟରରେ ୫୮ଟି ଟେଷ୍ଟ ଓ ୧୪୭ଟି ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିଛନ୍ତି।
ଟେଷ୍ଟ୍ରେ ଗମ୍ଭୀର ୪୧୫୪ ରନ୍ କରିଥିବା ବେଳେ ଦିନିକିଆରେ ୫୨୩୮ ରନ୍ କରିଛନ୍ତି। ତାଙ୍କ ନାଁରେ ଟେଷ୍ଟ ମ୍ୟାଚ୍ରେ ୯ଟି ଶତକ ଓ ଦିନିକିଆରେ ୧୧ଟି ଶତକ ରହିଛି। ଅନ୍ତର୍ଜାତୀୟ କ୍ରିକେଟ୍ରେ ଗମ୍ଭୀର ସମୁଦାୟ ୧୦,୩୨୪ ରନ୍ ସ୍କୋର କରିଛନ୍ତି।
ଟେଷ୍ଟରେ ୯ଟି ଶତକ ବ୍ୟତୀତ ୨୨ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୨୦୬। ସେହିପରି ଦିନିକିଆରେ ୧୧ଟି ଶତକ ସହ ଗମ୍ଭୀରଙ୍କ ନାଁରେ ୩୪ଟି ଅର୍ଦ୍ଧଶତକ ରହିଛି। ତାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୧୫୦(ଅପରାଜିତ)। ଟି-୨୦ରେ ମାତ୍ର ୩୭ଟି ମ୍ୟାଚ୍ ଖେଳିଥିବା ଗମ୍ଭୀର ୯୩୨ ରନ୍ କରିଛନ୍ତି। ଏଥିରେ ୭ଟି ଅର୍ଦ୍ଧଶତକ ରହିଛି।
ଗମ୍ଭୀର ଏକଦା ଟେଷ୍ଟ୍ ମ୍ୟାଚ୍ରେ ବିଶ୍ୱର ୧ ନଂ ବ୍ୟାଟସ୍ମ୍ୟାନ୍ ଭାବେ ପରିଚୟ ହାସଲ କରିଥିଲେ। ୨୦୦୯ରେ ଟି-୨୦ ଫର୍ମାଟରେ ଗମ୍ଭୀର ୧ନଂ ରାଙ୍କରେ ରହିଥିଲେ।
କେବଳ ଅନ୍ତର୍ଜାତୀୟ କ୍ରିକେଟ୍ ନୁହେଁ ଆଇପିଏଲ୍ରେ ମଧ୍ୟ ଗମ୍ଭୀର ନିଜର ଜଲୱା ଦେଖାଇଥିଲେ। ସେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଭାବେ ୨୦୧୨ ଓ ୨୦୧୪ରେ ଟ୍ରଫି ଜିତିଥିଲେ। ଗମ୍ଭୀର ୧୧ଟି ଆଇପିଏଲ୍ ସଂସ୍କରଣର ୧୫୪ଟି ମ୍ୟାଚ୍ ଖେଳି ୪୨୧୮ ରନ୍ କରିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଗମ୍ଭୀର ଗୁରୁବାରଠାରୁ ଫିରୋଜଶାହ କୋଟଲାରେ ଦିଲ୍ଲୀ ବନାମ ଆନ୍ଧ୍ରପ୍ରଦେଶ ରଣଜୀ ମ୍ୟାଚ୍ରେ ଶେଷ ଥର ପାଇଁ କ୍ରିକେଟ୍ ଖେଳିବେ। ଗମ୍ଭୀର କହିଛନ୍ତି ଯେ ଦେଶ ପାଇଁ ୧୫ ବର୍ଷରୁ ଅଧିକ ସମୟ କ୍ରିକେଟ୍ ଖେଳିବା ପରେ ମୁଁ ଏହି ସୁନ୍ଦର ଖେଳକୁ ଅଲବିଦା କହିବାକୁ ଚାହୁଁଛି।