Hockey

ଆଜି ଓହ୍ଲାଇବ ଅଷ୍ଟ୍ରେଲିଆ

(ଓଡିଶା ସ୍ପୋର୍ଟ): କଳିଙ୍ଗ ଷ୍ଟାଡିୟମର ସବୁଠୁ ପରିଚିତ, ପସନ୍ଦ ଏବଂ ସଫଳ ଦଳ ହେଉଛି ଅଷ୍ଟ୍ରେଲିଆ। କେବଳ ବିଗତ ଦୁଇ ଥରର ବିଶ୍ବ ବିଜେତା ଭାବେ ନୁହେଁ ଏହି ଦେଶ ଭୁବନେଶ୍ବରରେ ଦୁଇ ଥର ମୁକୁଟ ବିଜେତା ହୋଇଥିଲା ୨୦୧୪ ଏବଂ ୨୦୧୭ରେ। ସେହି ଦୃଷ୍ଟିରୁ ଯୁଗଳ ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଥିବା କୁକାବୁରା ଦଳ ଶୁକ୍ରବାର ଅଭିଯାନ ଆରମ୍ଭ କରିବା ବେଳେ ନିଶ୍ଚିତ ସ୍ଥାନୀୟ ପ୍ରଶଂସକଙ୍କଠାରୁ ଢେର ସମର୍ଥନ ପାଇବ। ଭାରତ ଏହି ପୁଲ୍‌ରେ ନଥିବାରୁ କଳିଙ୍ଗ ପ୍ରଶଂସକ ବି ସମର୍ଥନ ଦେବାରେ କୁଣ୍ଠିତ ହେବେ ନାହିଁ। କିନ୍ତୁ ଏହି ଓସେନିଆ ପ୍ରତିଦ୍ବନ୍ଦ୍ବୀ ଆଗରେ ରହିଛି ଆୟର୍ଲାଣ୍ଡ ଯିଏକି କୌଣସି ଦଳକୁ ଚକମା ଦେବାର କ୍ଷମତା ରଖିଛି। ବିଶ୍ବ ମାନ୍ୟତା ଉପରେ ନଜର ପକାଇଲେ ଅଷ୍ଟ୍ରେଲିଆ ଏକ ନମ୍ବର ଏବଂ ଆୟର୍ଲାଣ୍ଡ ୧୦ ନମ୍ବର ସ୍ଥାନରେ ଥିବାରୁ ବିଜେତା କଙ୍ଗାରୁ ଦଳ ଦାବିଦାର ରହିବ। କିନ୍ତୁ ବିଶ୍ବକପ୍‌କୁ ଆୟର୍ଲାଣ୍ଡ ଭଲ ପ୍ରସ୍ତୁତି ସହ ଆସିଥିବାରୁ କିଛି ଆଶ୍ଚର୍ୟ୍ୟ ଛାଡ଼ିବା ଯୋଜନାରେ ରହିଥିବ। ଅଷ୍ଟ୍ରେଲିଆ ୧୯୮୬, ୨୦୧୦ ଏବଂ ୨୦୧୪ରେ ବିଜେତା ରହି ସାରିଛି। ଯାହାକି ପାକିସ୍ତାନ (୪) ପରେ ଦ୍ବିତୀୟ ସର୍ବାଧିକ ୩ ଥର ବିଜେତା ନେଦରଲାଣ୍ଡର ସମକକ୍ଷ। ସେହିଭଳି ଭୁବନେଶ୍ବରରେ କୁକାବୁରା ଦଳ ୨୦୧୪ରେ ଚାମ୍ପିଅନ୍ସ ଟ୍ରଫି ଏବଂ ୨୦୧୭ରେ ବିଶ୍ବ ହକି ଲିଗ୍ ଫାଇନାଲ୍‌ସରେ ବିଜେତା ରହିଥିଲା।

୧୯୮୬ ବିଜେତା କଲିନ୍ ବାଚ୍‌ଙ୍କ ପ୍ରଶିକ୍ଷିତ ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଏକାଧିକ ‌ଖେଳାଳି ରହିଛନ୍ତି ଯେଉଁମାନେ ଗୋଲ‌େତଦେବାରେ ଧୂରନ୍ଧର। କିନ୍ତୁ ଗତ ଡିସେମ୍ବର ଭଳି ଦଳକୁ ଏଥର ଖରାପ ଆରମ୍ଭ ମିଳିଲେ ମହଙ୍ଗା ପଡ଼ିବ। କାରଣ ବିଶ୍ବକପ୍‌ର ପ୍ରତିଟି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ଅନ୍ୟପକ୍ଷରେ ୧୯୯୦ ମସିହା ପରେ ପ୍ରଥମ ଥର ବିଶ୍ବକପ୍ ଆସିଥିବା ଆୟର୍ଲାଣ୍ଡ ନିଜର ବର୍ତମାନର ଫର୍ମ ଏବଂ ବିଶ୍ବ ଶ୍ରେଣୀୟ ଗୋଲ୍‌ରକ୍ଷକ ଡେଭିଡ୍ ହାର୍ଟଙ୍କ ଉପରେ ଭରସା ରଖି ଖେଳିବ। ଅନ୍ୟପକ୍ଷରେ ଶୁକ୍ରବାର ଦ୍ବିତୀୟ ମ୍ୟାଚ୍‌ରେ ୟୁରୋପୀୟ ଦଳ ଇଂଲଣ୍ଡ ସହିତ ପ୍ରଥମ ପଦାର୍ପଣକାରୀ ଚୀନ୍‌ର ମୁକାବିଲା ହେବ। ଏହି ମ୍ୟାଚ୍‌ ରାତି ୭ଟାରେ ଖେଳାଯିବ। ଦଳର ସବୁଠୁ ଅଭିଜ୍ଞ ବ୍ୟାରି ମିଡଲଟନ୍ ଏହି ଦଳର ପ୍ରଭାବୀ ଖେଳାଳି। ଇଂଲଣ୍ଡ ମହିଳା ଦଳକୁ ରିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟୀ କରାଇଥିବା ମୁଖ୍ୟ ପ୍ରଶିକ୍ଷକ ଡାନି କେରି ମଧ୍ୟ ଏଭଳି ଆଶା ରଖିଛନ୍ତି ଭୁବନେଶ୍ବରରେ। ପ୍ରଥମ ପଦାର୍ପଣକାରୀ ଚୀନ୍‌ କିନ୍ତୁ ବିଶ୍ବକପ୍ ପଦାର୍ପଣରେ କିଭଳି ସ୍ମୃତି ଛାଡ଼ିଯିବ ପୁଲ୍‌ ପର୍ଯ୍ୟାୟ ଶେଷରେ ଜଣାପଡ଼ିବ।

Related posts

ଆରମ୍ଭ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ, ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଛାଡପତ୍ର ଦେବେ ସାନିଆ ମିର୍ଜା!

Odisha Sports Bureau

ଏଫ୍ଆଇଏଚ୍ ପ୍ରୋ ଲିଗ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ

Odisha Sports Bureau