Cricket

ଭାରତ ବନାମ ନ୍ୟୁଜିଲାଣ୍ଡ ଟି୨୦ ବିଶ୍ୱକପ୍ ଫାଇନାଲ୍: ଅହମଦାବାଦରେ ଐତିହାସିକ ମହାମୁକାବିଲା

ଗୁଜୁରାଟ: ଫଟାଫଟ୍ କ୍ରିକେଟ୍ ମହାକୁମ୍ଭର ଏହି ମହାମୁକାବିଲା ପାଇଁ ବିଶ୍ୱର ସର୍ବବୃହତ୍ କ୍ରିକେଟ୍ ମଞ୍ଚ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍ ପୂରାପୂରି ପ୍ରସ୍ତୁତ ହୋଇରହିଛି। କେବଳ ଭାରତ କିମ୍ବା ଏସିଆ ମହାଦେଶ ନୁହେଁ, ସାରା ବିଶ୍ୱର କ୍ରିକେଟ୍ ପ୍ରଶଂସକମାନେ ଏହି ମହାଲଢ଼େଇକୁ ନେଇ ଭାରି ଉତ୍ସାହିତ ଅଛନ୍ତି। ରବିବାର ରାତି ୭ଟାରୁ ଆରମ୍ଭ ହେବାକୁ ଥିବା ଏହି ଐତିହାସିକ ଟକ୍କର ପାଇଁ ଫାଇନାଲିଷ୍ଟ୍ ଭାରତ ଓ ନ୍ୟୁଜିଲାଣ୍ଡ ଦୁଇଟି ଦଳ ମାନସିକ ଓ ଶାରୀରିକ ଭାବେ ନିଜକୁ ସଜାଇ ନେଇଛନ୍ତି। ଜୋରଦାର ଅଭ୍ୟାସ କରି ନିଜ ନିଜ ଶକ୍ତିକୁ ଆହୁରି ଶାଣିତ କରିଥିବାରୁ ଅହମଦାବାଦରେ ଟ୍ୱେଣ୍ଟି–୨୦ ବିଶ୍ୱକପ୍ ଫାଇନାଲ୍ ନେଇ ଅପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି।

ଏହି ମହାମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ସମଗ୍ର ବିଶ୍ୱର ନଜର ଏହି ହାଇଭୋଲ୍ଟେଜ୍ ଓ ପ୍ରତୀକ୍ଷିତ ମୁକାବିଲା ଉପରେ କେନ୍ଦ୍ରିତ ହୋଇଛି। ଆଉ କିଛି ଘଣ୍ଟା ପରେ ଦୁଇ ଦଳ ପଡ଼ିଆକୁ ଓହ୍ଲାଇ ନୂଆ ଇତିହାସ ଲେଖିବାକୁ ଚେଷ୍ଟା କରିବେ। ଏହି ଫାଇନାଲ୍ ଦୁଇ ଦଳ ପାଇଁ ଅନନ୍ୟ ଇତିହାସ ଗଢ଼ିବାର ସୁଯୋଗ ନେଇଆସିଛି। ଭାରତ ଜିତିଲେ ଆୟୋଜକ ଦେଶ ଭାବେ ବିଶ୍ୱକପ୍ ଜିତିବାର ବିରଳ ଗୌରବ ଅର୍ଜନ କରିବା ସହ ଲଗାତାର ଦୁଇଥର ଚାମ୍ପିଅନ୍ ହେବାର ରେକର୍ଡ ସୃଷ୍ଟି କରିପାରିବ। ଅନ୍ୟପଟେ ନ୍ୟୁଜିଲାଣ୍ଡ ଜିତିଲେ ପ୍ରଥମଥର ପାଇଁ ଟ୍ୱେଣ୍ଟି–୨୦ ବିଶ୍ୱକପ୍ ଜିତିବାର ସ୍ୱପ୍ନ ପୂରଣ ହେବ।

ତଥାପି ବିଶ୍ୱକପ୍ ଇତିହାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ସୁଖଦ ନୁହେଁ। ଆଜି ପର୍ଯ୍ୟନ୍ତ ବିଶ୍ୱକପ୍ ମଞ୍ଚରେ ତିନିଥର ଭେଟି ଭାରତ ପ୍ରତିଥର ପରାଜିତ ହୋଇଛି। ତେଣୁ ଏଥର ଜିତି କିୱି ଦଳ ବିପକ୍ଷରେ ପୂର୍ବର ପରାଜୟର ପ୍ରତିଶୋଧ ନେବାକୁ ଟିମ୍ ଇଣ୍ଡିଆ ଦୃଢ଼ ସଙ୍କଳ୍ପିତ। ସେଥିସହ ଭାରତୀୟ ଦଳ ପାଖରେ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲର ପରାଜୟର ଦୁଃଖକୁ ମିଟାଇବାର ମଧ୍ୟ ଏକ ବଡ଼ ସୁଯୋଗ ରହିଛି। ତିନି ବର୍ଷ ପୂର୍ବେ ଏହି ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ନିକଟରେ ହାରି ଭାରତ ଆଉ ଏକ ବିଶ୍ୱକପ୍ ଜିତିବାର ସୁଯୋଗ ହାତଛାଡ଼ କରିଥିଲା। ଏଥର ସେହି ଭୁଲ୍ ପୁଣି ଦୋହରାଇବାକୁ ଚାହୁଁନାହିଁ ଭାରତୀୟ ଦଳ। ଏଥରର ଫାଇନାଲ୍ ମ୍ୟାଚରେ ଦୁଇ ଦଳର ଯୁବ ତାରକା ସଞ୍ଜୁ ସାମସନ ଓ ଫିନ୍ ଆଲେନଙ୍କ ବ୍ୟାଟିଂ ଦର୍ଶକମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ହେବାର ଆଶା କରାଯାଉଛି।

Related posts

 ଟ୍ୱେଣ୍ଟି -୨୦ ଶୃଙ୍ଖଳା ହାରିଲା ଭାରତର

Odisha Sports Bureau

ବାରବାଟୀରେ ୱେଷ୍ଟଇଣ୍ଡିଜ-ଭାରତ ମ୍ୟାଚ ଆଶା ଉଜ୍ଜୀବିତ

Odisha Sports Bureau

ବୈଭବ ସୂର୍ଯ୍ୟବଂଶୀ ୧୩ ବର୍ଷ ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିବାକୁ ଧମକ ଦେଇଛନ୍ତି, ଏହା କରି ଇତିହାସ ସୃଷ୍ଟି କରିବେ

Odisha Sports Bureau