ଭୁବନେଶ୍ୱର: ଜୁନ ୯ରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍। ଏହି ସିରିଜର ଦ୍ଵିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଜୁନ ୧୨ରେ ଖେଳାଯିବ। ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନ(ଓସିଏ)ତରଫରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଶତ ପ୍ରତିଶତ ଦର୍ଶକ କ୍ଷମତା ସହ ଏହି ମୁକାବିଲା ଖେଳାଯିବ। ବାରବାଟୀରେ ଦର୍ଶକ କ୍ଷମତା ୪୪ ହଜାରରୁ ଅଧିକ ରହିଛି। ଏହି କ୍ରମରେ ଜୁନ ୧ରେ ଅନଲାଇନ୍ ଟିକେଟ୍ ବିକ୍ରି ହେବାକୁ ଯାଉଛି। କେଉଁ ଆପ୍ ଏବଂ କେଉଁ ଓ୍ଵେବ୍ ସାଇଟ୍କୁ ଯାଇ ଟିକେଟ୍ ବୁକିଂ କରି ପାରିବେ ସେ ନେଇ ସୋମବାର ସୂଚନା ଦେଇଛି ଓସିଏ।
ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟିକେଟ୍ ବିକ୍ରି । ସକାଳ ୧୧ଟାଠାରୁ ଆରମ୍ଭ ହେବ ଅନଲାଇନ୍ ଟିକେଟ୍ ବିକ୍ରି । ଅନଲାଇନରେ ମୋଟ ୫ ହଜାର ଟିକେଟ ବିକ୍ରି କରାଯିବ । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ ।ଟିକେଟ୍ ବୁକିଂ ପାଇଁ ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିବାକୁ ବଡିବ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଂ କରିପାରିବେ । ଏହାସହ ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ୍ରେ ଟିକେଟ ମିଳିବ । ଏ ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଓସିଏ କର୍ତ୍ତୃପକ୍ଷ।
ଅନ୍ୟପକ୍ଷେ, ଷ୍ଟାଡିୟମର ପୁରା କ୍ଷମତା ସହିତ ଦର୍ଶକ ଉପସ୍ଥିତ ରହିବେ । ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକଙ୍କ ପାଇଁ ଗାଡି ପାର୍କିଂ ସୁବିଧା କରାଯିବ । ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ନା ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ OCA ବୈଠକରେ ଉପସ୍ଥିତ ରହି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ପ୍ରାୟ ଅଢେଇ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ ମୁକାବିଲା ଖେଳାଯାଉଥିବାରୁ ଓଡିଶା କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।
ମ୍ୟାଚ୍ ଆୟୋଜନ ନେଇ ଉନ୍ନତ ମାନର ବ୍ୟବସ୍ଥା କରାଯାଉଛି। ଯଦିଓ ବର୍ଷା ହୁଏ ଅଳ୍ପ ସମୟରେ ପଡିଆ ସୁଖାଇବା ପାଇଁ ଲଣ୍ଡନରୁ ଅତ୍ୟାଧୁନିକ ଯନ୍ତ୍ର ମଗାଯାଇଛି। ଏଥିପାଇଁ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରୁ ୩୦ କର୍ମଚାରୀଙ୍କୁ ଡକାଯାଇଛି। ପ୍ରଥମ ଥର ଏଲଇଡି ଫ୍ଲଡ୍ ଲାଇଟ୍ର ବ୍ୟବସ୍ଥା କରାଯାଇଛି।