Wrestling

ବିଜେପିର ପ୍ରଭାବଶାଳି ନେତା ବ୍ରିଜଭୂଷଣଙ୍କ ପାଖରେ ରହିଛ ୫୦ରୁ ଅଧିକ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ହୋଟେଲ

ଗୋଣ୍ଡା: ବ୍ରିଜଭୂଷଣ ଶରଣ ସିଂ ବିଜେପିର ଜଣେ ବାହୁବଳୀ ନେତା ହୋଇଥିବା ବେଳେ ୫୦ରୁ ଅଧିକ ସ୍କୁଲ, କଲେଜ, ହସ୍ପିଟାଲ ଓ ହୋଟେଲର ମାଲିକ ମଧ୍ୟ ଅଟନ୍ତି । ତାଙ୍କ ବିରୋଧରେ କେତେଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ସେ ବର୍ତ୍ତମାନ ବିବାଦ ଘେରରେ ରହିଛନ୍ତି।

ଗୋଣ୍ଡା ଜିଲ୍ଲାର ନବାବଗଞ୍ଜ ହେଉଛି ସିଂହଙ୍କ ଦଖଲ ଥିବା ନିର୍ବିବାଦୀୟ ଅଞ୍ଚଳ। ଅନେକ ଶିକ୍ଷାନୁଷ୍ଠାନ ଏବଂ ଯୁବକ ଓ କୃଷକଙ୍କୁ ଟାର୍ଗେଟ କରି କରାଯାଉଥିବା ଯୋଜନାଗୁଡ଼ିକରେ ତାଙ୍କର ସମ୍ପୃକ୍ତି ରହିଛି। ସେ ଅନେକ ଅନୁଷ୍ଠାନର ମାଲିକ କିମ୍ବା ତା’ ସହ ସମ୍ପୃକ୍ତ। ତେଣୁ ତାଙ୍କ ପ୍ରତି ଅଧିକାଂଶଙ୍କର ଆନୁଗତ୍ୟ ରହିବା ସ୍ବାଭାବିକ। ତାଙ୍କୁ ନେଇ ବିବାଦ ଉଠିଥିଲେ ମଧ୍ୟ ତାଙ୍କ ବିରୋଧରେ କେହି ମୁହଁ ଖୋଲିବା ବା ବାହାରେ ଆଲୋଚନା କରିବା ଦେଖାଯାଉ ନାହିଁ। ବ୍ରିଜଭୂଷଣ ୫୪ଟି ଶିକ୍ଷାନୁଷ୍ଠାନର ମାଲିକ କିମ୍ବା ତା’ ସହ ସମ୍ପୃକ୍ତ, ଯେଉଁ ଅନୁଷ୍ଠାନଗୁଡ଼ିକରେ ୩,୫୦୦ରୁ ଅଧିକ ଶିକ୍ଷକ ଏବଂ ୮୦,୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଛନ୍ତି। ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଅଯୋଧ୍ୟା-ଗୋଣ୍ଡା ରାଜପଥର ଉଭୟ ପାର୍ଶ୍ବରେ ଚାରୋଟି ଜିଲ୍ଲା- ଗୋଣ୍ଡା, ବଳରାମପୁର, ବାହରାଇଚ ଓ ଶ୍ରାବସ୍ତିରେ ଅବସ୍ଥିତ। ତାଙ୍କ ପାଖରେ ହେଲିକପ୍ଟର ଓ ବିଳାସପୂର୍ଣ୍ଣ ଗାଡ଼ିଠାରୁ ଆରମ୍ଭ କରି ହୋଟେଲ ଓ ହସ୍ପିଟାଲ ମଧ୍ୟ ରହିଛି। ୨୦୧୧ରୁ ସେ ଡବ୍ଲୁଏଫ୍ଆଇର ସଭାପତି ଅଛନ୍ତି। ସେ ମଧ୍ୟ ଜଣେ ପ୍ରଭାବଶାଳୀ ବିଜେପି ଏମ୍ପି। ଷଷ୍ଠଥର ପାଇଁ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଜାନୁଆରି ୮, ୧୯୫୭ରେ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ବିଶ୍ବହରପୁରଠାରେ ଜନ୍ମିତ ବ୍ରିଜଭୂଷଣ କଲେଜ ଜୀବନରେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ୧୯୮୭ରେ ଆଖୁ ଚାଷ ଉନ୍ନୟନ କମିଟିର ନିର୍ଦ୍ଦେଶକ ପଦ ପାଇଁ ନିର୍ବାଚନ ଲଢ଼ି ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ସେବେଠାରୁ ତାଙ୍କର ଧନସମ୍ପଦ, ପ୍ରଭାବ ଓ ପ୍ରତିପତ୍ତି ବୃଦ୍ଧି ପାଇଚାଲିଛି। ସେ ଓ ତାଙ୍କ ସ୍ତ୍ରୀ ମିଶି ପ୍ରାୟ ୨୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ ବୋଲି ବ୍ରିଜଭୂଷଣ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଥିଲେ।

Related posts

କୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୋଲିସର ଅତ୍ୟାଚାର; ଭାଇରାଲ ହେଉଛି ଭିଡିଓ

ବିଶ୍ବ କନିଷ୍ଠ ହ୍ବିଲ୍‌ଚେୟାର ଅସିଚାଳନାରେ ଭାଗନେବେ ପବିତ୍ର

Odisha Sports Bureau

ବ୍ରିଜ ଭୂଷଣଙ୍କୁ ନାର୍କୋ ଟେଷ୍ଟ ପାଇଁ ଚ୍ୟାଲେଞ୍ଜ କଲେ ରେସଲର ସାକ୍ଷୀ