Cricket

୮ ବର୍ଷ ପରେ ବୋଲିଂ କଲେ କୋହଲି

ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦର୍ଶକଙ୍କୁ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ବୋଲିଂ କରିଥିଲେ। ପାଣ୍ଡ୍ୟାଙ୍କ ଓଭରର ଅବଶିଷ୍ଟ ତିନିଟି ବଲ୍ ପକାଇଥିଲେ ସେ। ଏହା ଦେଖି ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍‌ର ଦର୍ଶକ କୁରୁଳି ଉଠିଥିଲେ। ପ୍ରତ୍ୟେକ ବଲ୍‌ରେ ‌ସେମାନେ କୋହଲିଙ୍କୁ ଉତ୍ସାହିତ କରିଥିଲେ। ନିଜ ତିନିଟି ବଲ୍‌ରେ ମାତ୍ର ୨ ରନ୍ ବ୍ୟୟ କରି କୋହଲି ମଧ୍ୟ ପ୍ରଶଂସକଙ୍କ ଆଶା ପୂରଣ କରିଥିଲେ। ନିଜ ଅଭିନବ ଓ ସହଜ ବୋଲିଂ ଶୈଳୀ ପାଇଁ ପରିଚିତ କୋହଲି ଏପର୍ଯ୍ୟନ୍ତ ଖେଳିଥିବା ୨୮୫ ଦିନିକିଆ ପାଳିରୁ ପ୍ରତି ୪୯ ପାଳିରେ ଅନ୍ୟୂନ ଗୋଟିଏ ବଲ୍ ପକାଇବା ସହ ଚାରିଟି ୱିକେଟ୍ କରାୟତ୍ତ କରିଛନ୍ତି। ଶେଷ ଥର ପାଇଁ ସେ ୨୦୧୭ ମସିହା, ଅଗଷ୍ଟ ୩୧ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ୨ ଓଭର ବୋଲିଂ କରି ୧୨ ରନ୍ ଖର୍ଚ୍ଚ କରିଥିଲେ। ବିଶ୍ବକପ୍‌ରେ ଶେଷ ଥର ଲାଗି ୨୦୧୫ ମସିହାର ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍‌ରେ ଗୋଟିଏ ଓଭର ବୋଲିଂ କରି ୭ ରନ୍ ଦେଇଥିଲେ।

କ୍ରି‌କେଟ୍‌ର ତିନିଟି ଯାକ ଫର୍ମାଟ୍ ଯଥା ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦ରେ ଆଜି ପର୍ଯ୍ୟନ୍ତ କୋହଲି ୧୬୧.୫ ଓଭର ବୋଲିଂ କରିଛନ୍ତି। ସେଥିମଧ୍ୟରେ ରହିଛି ଦିନିକିଆରେ ୧୦୭.୨ ଓଭର, ଟ୍ବେଣ୍ଟି-୨୦ରେ ୨୫.୨ ଓଭର ଏବଂ ଟେଷ୍ଟ୍‌ରେ ୨୯.୧ ଓଭର। ମୋଟ ଉପରେ ୮ ଅନ୍ତର୍ଜାତୀୟ ୱିକେଟ୍ ଅକ୍ତିଆର କରିଛନ୍ତି ସେ। ତେବେ ଟ୍ବେଣ୍ଟି-୨୦ରେ ବିନା ବୈଧ ବଲ୍‌ ପକାଇ ୱିକେଟ୍ ନେବାରେ ଏକମାତ୍ର ଖେଳାଳି ହେବାର ବିରଳ କୀର୍ତ୍ତିମାନ କୋହଲିଙ୍କ ନାଁରେ ରହିଛି। ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ କୋହଲି ତାଙ୍କ ଖେଳ ଜୀବନର ପ୍ରଥମ ଟ୍ବେଣ୍ଟି-୨୦ ବଲ୍‌ରେ କେଭିନ ପିଟରସନ୍‌ଙ୍କୁ ଆଉଟ୍ କରି ଦେଇଥିଲେ। ଚତୁରତାର ସହ କୋହଲି ବୋଲିଂ କରିଥିବା ଏହି ବଲ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିପଜ୍ଜନକ ପିଟରସନ୍‌ଙ୍କୁ ଷ୍ଟମ୍ପିଂ କରି ଦେଇଥିଲେ। ତେବେ ବଲ୍‌ଟି ମାତ୍ରାଧିକ କ୍ରିଜ୍ ବାହାରେ ପଡ଼ିଥିବାରୁ ଅମ୍ପାୟାର ଏହାକୁ ୱାଇଡ୍ ଘୋଷଣା କରିଥିଲେ। ଦିନିକିଆ କ୍ରିକେଟ୍‌ରେ ଆଲେଷ୍ଟର୍ କୁକ୍, କ୍ରେଗ୍ କିସୱେଟର୍, ବ୍ରେଣ୍ଡନ୍ ମ୍ୟାକଲମ୍ ଓ କ୍ବିଣ୍ଟନ୍ ଡି’କକ୍‌ଙ୍କ ଭଳି ଖେଳାଳିଙ୍କୁ ଆଉଟ୍ କରିବା‌ରେ ତାଙ୍କର ଅଭିଜ୍ଞତା ଅଛି। ସୂଚନାଯୋଗ୍ୟ ଯେ ୧୯ ବର୍ଷରୁ କମ୍ କ୍ରିକେଟ୍ ଖେଳିଲା ବେଳେ କୋହଲି ଜଣେ ଦ୍ରୁତ ବୋଲର ଥିଲେ।

Related posts

ଇତିହାସ ରଚିଲେ ରୋହିତ ଶର୍ମା

Odisha Sports Bureau

ୱାର୍ଲ୍ଡ କପ ପୂର୍ବରୁ ଅବସର ନେଲେ ପାକିସ୍ତାନ ଖେଳାଳି

Odisha Sports Bureau

ଦକ୍ଷିଣ ଆଫ୍ରିକାର ଦମଦାର ପ୍ରଦର୍ଶନ

Odisha Sports Bureau