Hockey

ହକି ବିଶ୍ୱକପ ବେଲଜିୟମ ପ୍ରଥମ ଥର ବିଶ୍ୱ ବିଜୟୀ

(ଓଡିଶା ସ୍ପୋର୍ଟ):ହକି ବିଶ୍ୱକପର ୪୭ ବର୍ଷର ଇତିହାସରେ ବେଲଜିୟମ ହୋଇଛି ନୂଆ ଚାମ୍ପିୟନ ।ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରାୟ ୨୦ ହଜାର ହକିପ୍ରିୟ ଦେଶୀ ବିଦେଶୀ ଦର୍ଶକଙ୍କ ହୋହଲ୍ଲା ଭିତରେ ଜିତିଲା ବେଲଜିୟମ । ବିଶ୍ୱ କପ୍ ଇତିହାସରେ ପ୍ରଥମଥର ସ୍ୱର୍ଣ୍ଣ ପଦକ ବିଜେତା ନିର୍ଣ୍ଣୟ ହୋଇଛି ପେନାଲଟି ସୁଟ୍ଆଉଟ୍ରେ । ଆଉ ପ୍ରଥମଥର ଫାଇନାଲ୍କୁ ଆସି ଟାଇଟଲ୍ ଜିତିଛି ବେଲଜିୟମ । ତିନି ଥର ଚାମ୍ପିଅନ୍ ଶକ୍ତିଶାଳୀ ନେଦରଲାଣ୍ଡସକୁ ୩-୨ ଗୋଲ୍ରେ ପରାସ୍ତ କରିଛି ।

ନିର୍ଦ୍ଧାରିତ ସମୟ ଖେଳ ଗୋଲଶୂନ୍ୟ ଭାବେ ଡ୍ର ରହିଥିଲା। ଫଳରେ ଶୁଟ୍ଆଉଟର ସହାୟତା ନିଆଯାଇଥିଲା। ଏଥିରେ ସ୍ଥିତି ୨-୨ରେ ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ସଡନ୍ଡେଥ୍ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରେ ବେଲଜିୟମର ୮ନମ୍ବର ଖେଳାଳି ଫ୍ଲୋରେଣ୍ଟ ଭାନ ଆଉବେଲ ଗୋଲ ଦେଇଥିବାବେଳେ ନେଦରଲାଣ୍ଡ୍ସର ଜେରନ ହର୍ଜବର୍ଗର ମାରିଥିବା ଶଟ୍ ଗୋଲପୋଷ୍ଟ ଉପରେ ଚାଲି ଯାଇଥିଲା। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲର ସଡନ୍ ଡେଥ୍ ପର୍ୟ୍ୟାୟରେ ହର୍ଜବର୍ଗର ଗୋଲ ଦେଇ ହିରୋ ବନିଥିଲେ। ମାତ୍ର ଫାଇନାଲରେ ଫେଲ୍ ମାରିବାପରେ ଆରମ୍ଭ ହୋଇଥିବା ବେଲଜିୟମ ଦଳର ବିଜୟ ଉତ୍ସବ। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ଅନ୍ତର୍ଜାତୀୟ ହକି ଫେଡେରେଶନ ସଭାପତି ନରିନ୍ଦର ବାତ୍ରା, ମୁଖ୍ୟ କାର୍ୟ୍ୟନିର୍ବାହୀ ଥିଏରୀ ୱେଲ, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ, ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଆର.କେ. ଶ୍ରୀବାସ୍ତବ, ପଦ୍ମଶ୍ରୀ ଦିଲୀପ ତିର୍କୀ, ମନ୍ତ୍ରୀ ଶଶିଭୂଷଣ ବେହେରା, ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ଅଲିମ୍ପିଆନ ଆଥଲେଟ୍ ଅନୁରାଧା ବିଶ୍ୱାଳ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବେଲଜିୟମ ଦଳକୁ ସ୍ବର୍ଣ୍ଣପଦକ, ସ୍ମାରକୀ ସହିତ ବିଶ୍ୱକପ ପ୍ରଦାନ କରାଯାଇଥିଲା। ନେଦରଲାଣ୍ଡ୍ସ ଦଳକୁ ରୌପ୍ୟ ପଦକ, ସ୍ମାରକୀ ଦିଆଯାଇ ସମ୍ମାନିତ କରାଯାଇଥିଲା।

ଶେଷରେ ପୁରସ୍କାର ବିତରଣ ଉତ୍ସବ ପରେ ବେଲଜିୟମ ଖେଳାଳିମାନେ ଗୀତ ଗାଇବା ସହ ନାଚିନାଚି ଷ୍ଟାଡିୟମ ଦୁଲୁକାଇ ଦେଇଥିଲେ। ଶେଷରେ ଆତସବାଜି କାର୍ୟ୍ୟକ୍ରମ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଥିଲା।

Related posts

ଇସ୍ତଫା ଦେଲେ ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍

Odisha Sports Bureau

ହକି ପ୍ରତିଯୋଗିତାରେ ଓଡ଼ିଶାର ବ୍ରୋଞ୍ଜ ପଦକ ହାସଲ

Odisha Sports Bureau

ହକି ଇଣ୍ଡିଆ ଲିଗ୍;ବେଦାନ୍ତ କଳିଙ୍ଗ ଲାନସର୍ସ ପ୍ରଥମ ବିଜୟ

Odisha Sports Bureau