Uncategorized

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର:  କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର କ୍ରୀଡ଼ା ବ୍ୟବସ୍ଥା ଓ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ପୂର୍ବାହ୍ନ ୧୦ ଘଟିକା ସମୟରେ କ୍ରୀଡ଼ା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର. ଭିନୀଲ କ୍ରିଷ୍ଣା, ସ୍ୱତନ୍ତ୍ର ଶାସନ ସଚିନ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି କ୍ରୀଡ଼ା ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ I ପରେ କ୍ରୀଡ଼ା ମନ୍ତ୍ରୀ ଷ୍ଟାଡିୟମର ବିଭିନ୍ନ ସୁବିଧା ଓ ଭିତ୍ତିଭୂମି ପରିଦର୍ଶନ କରିଥିଲେ। କ୍ରୀଡ଼ା ସଚିବ ଶ୍ରୀ ଆର. ଭିନୀଲ କ୍ରିଷ୍ଣା ଓଡ଼ିଶାର କ୍ରୀଡ଼ା ଯାତ୍ରା ସମ୍ପର୍କରେ ଆଲୋକପାତ କରିବା ସହ ବିଗତ ବର୍ଷଗୁଡ଼ିକରେ ରାଜ୍ୟ ସରକାରଙ୍କ ପଦକ୍ଷେପ, ଉପଲବ୍ଧି ଓ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ସୁରଜ କ୍ରୀଡ଼ା ଇକୋସିଷ୍ଟମର ବିଭିନ୍ନ ଦିଗର ସମୀକ୍ଷା କରିବା ସହ ତୃଣମୂଳ ସ୍ତରର କ୍ରୀଡ଼ା ବିକାଶ ଏବଂ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ସାମଗ୍ରିକ ଅଭିବୃଦ୍ଧି ପାଇଁ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I  ଏହି ଅବସରରେ ୨୦୨୪ ଜୁନ୍ ୨୧ ତାରିଖରେ ସମଗ୍ର ରାଜ୍ୟରେ ସାମୂହିକ ସ୍ତରରେ ପାଳନ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସମୀକ୍ଷା କରିଥିଲେ। ଯୋଗ ସମ୍ପର୍କରେ ସଚେତନ କରିବା ଏବଂ ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହି କାର୍ଯ୍ୟକ୍ରମକୁ  ରାଜ୍ୟର ପ୍ରମୁଖ ତଥା ଐତିହାସିକ ସ୍ଥାନରେ  ଆୟୋଜନ କରାଯିବ । ଏଥି ସହିତ ଜିଲ୍ଲା, ବ୍ଲକ ଏବଂ ପୌରାଞ୍ଚଳ ମାନଙ୍କରେ ପାଳନ କରିବା ନେଇ ଆଲୋଚନା ହୋଇଥିଲା I  ଏହି ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ସୁରଜ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର, ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ ଏକ୍ସିଲେନ୍ସ , ଟେନିସ୍ ସେଣ୍ଟର, ଇନ୍ ଡୋର ଆଥଲେଟିକ୍ସ ସେଣ୍ଟର,  ଭାରୋତ୍ତୋଳନ କେନ୍ଦ୍ର, ସ୍ପୋର୍ଟ୍ସ ହଷ୍ଟେଲ, ହକି ଏଚପିସି, ଆକ୍ୱାଟିକ୍ ସେଣ୍ଟର, ହକି ଷ୍ଟାଡିୟମ, ସୁଟିଂ କ୍ୟାମ୍ପ୍ଲେକ୍ସ, ସ୍ପୋର୍ଟସ କ୍ଲାଇମ୍ବିଂ ଓ ଜିମ୍ନାଷ୍ଟିକ୍ସ ସେଣ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ସୁବିଧାର ସମୀକ୍ଷା କରିଥିଲେ। ଏହି ଅବସରେ ସେ କ୍ରୀଡ଼ା କେନ୍ଦ୍ର ମୁଖ୍ୟମାନଙ୍କ ସହ ଆଲୋଚନା କରିବା ସହ ସେଠାକାର ପ୍ରଶିକ୍ଷଣ ବ୍ୟବସ୍ଥା ପଚାରି ବୁଝିଥିଲେ I ଏହି ଅବସରରେ ସେ ଆଥଲେଟ ତଥା ସ୍ପୋର୍ଟ୍ସ ହଷ୍ଟେଲ ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ I ଆଥଲେଟ ମାନେ ମଧ୍ୟ ନୂଆ କ୍ରୀଡ଼ା ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ ଖୁସି ଅନୁଭବ କରିଥିଲେ I  କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଏହାର ବିଶ୍ୱସ୍ତରୀୟ ସୁବିଧା ଏବଂ କ୍ରୀଡ଼ାବିତମାନଙ୍କ ସଫଳତାରୁ ସ୍ପଷ୍ଟ ହୋଇଛି। ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ନିରନ୍ତର ସଫଳତାକୁ ସୁନିଶ୍ଚିତ କରିବା ପାଇଁ ତୃଣମୂଳ ସ୍ତରର ବିକାଶ ଉପରେ ଆମେ ଅଧିକ ଧ୍ୟାନ ଦେବୁ I  ଜାତୀୟ ସ୍ତରରେ ଓଡ଼ିଶା ଭଲ ପ୍ରଦର୍ଶନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। କ୍ରୀଡାର ବିକାଶରେ ଭିତ୍ତିଭୂମି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ ଏହା ତୃଣମୂଳ ସ୍ତରରେ ଉପଲବ୍ଧ ହେବ I ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ଗଠନ ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ କିଭଳି ଓଡ଼ିଶାର ଏକ ବିଶେଷ ପରିଚୟ ସୃଷ୍ଟି ହୋଇ ପାରିବ ସେଥିପାଇଁ ରଣନୀତି ପ୍ରସ୍ତୁତ ହୋଇଛି ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ମତବ୍ୟକ୍ତ କରିଥିଲେ I

Related posts

ଏଏଫସି ଏସିଆନ୍ କପ୍ ୨୦୨୪ ଭାରତୀୟ ଦଳର ନାମ ଘୋଷଣା

Odisha Sports Bureau

୧୯ତମ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ହେଇଛନ୍ତି ଓଡ଼ିଶାର ସର୍ବାଧିକ ୧୩ ଜଣ କ୍ରୀଡ଼ାବିତ

Odisha Sports Bureau

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ!

Odisha Sports Bureau