ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ରେ ସମାନ ସ୍ଥିତିରେ ରହିଛି । ତେବେ ତୃତୀୟ ମ୍ୟାଚରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ଟିମ ଇଣ୍ଡିଆର ଚିନ୍ତା ବଢିଛି । ବିଶେଷ କରି ଦଳ ପାଇଁ ମଧ୍ୟକ୍ରମର ଖେଳାଳୀମାନଙ୍କ ଫର୍ମ ଏବେ ବିରାଟ ଚିନ୍ତାର କାରଣ ପାଲଟିଛି । ୱିକେଟ କିପର ରିଷଭ ପନ୍ତଙ୍କ ସମେତ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଖୋଦ ଅଧିନାୟକ ବିରାଟ କୋହଲୀ ମଧ୍ୟ ଏହି ତାଲିକାର ଅନ୍ତର୍ଭୁକ୍ତ ହୋଇଛନ୍ତି । ତେଣୁ ଚତୁର୍ଥ ମ୍ୟାଚ ପାଇଁ ସେ ଶ୍ରେଷ୍ଠ ୧୧ରେ କିଛି ପରିବର୍ତ୍ତନ କରିବେ ବୋଲି ଆଶା କରାଯାଉଛି । କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ଏହି ପରିବର୍ତ୍ତନରେ ଦୁଇ ଓପନର କେ.ଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କ ସ୍ଥାନ ଅପରିବର୍ତ୍ତିତ ରହିପାରେ । ଉଭୟଙ୍କ ଫର୍ମ ଏବଂ ପ୍ରଦର୍ଶନକୁ ଦେଖି ଦଳ ଏମାନଙ୍କ ବିକଳ୍ପ ପାଇଁ ଚିନ୍ତା କରି ନ ପାରେ । ଶୁଭମନ ଗିଲ ଏବଂ ମୟଙ୍କ ଅଗ୍ରୱାଲଙ୍କ ଆହତ ପରେ କେ.ଏଲ ରାହୁଲଙ୍କୁ ଏହି ସିରିଜରେ ସୁଯୋଗ ମିଳିଥିଲା । ଯାହାର ସେ ଖୁବ ଫାଇଦା ଉଠାଇଛନ୍ତି । କିନ୍ତୁ ରାହୁଲଙ୍କ ଏହି ପ୍ରଦର୍ଶନ ଏବେ ଇଂଲଣ୍ଡ ଗସ୍ତରେ ଥିବା ଅନ୍ୟ ୩ ଓପନରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗସ୍ତରେ ଥିବା ଯୁବ ଓପନର ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ’ ଏବଂ ଅଭିମନ୍ୟୁ ଇଶ୍ୱରନଙ୍କୁ ଏବେ ବେଞ୍ଚରେ ହିଁ ବସିବାକୁ ପଡିବ । ତେବେ ଯଦି ରାହୁଲ କିମ୍ବା ରୋହିତଙ୍କ ମଧ୍ୟରୁ କେହି ଆହତ ହୁଅନ୍ତି, ତେବେ ମୟଙ୍କ ସୁସ୍ଥ ହୋଇ ଯାଇଥିବାରୁ ତାଙ୍କର ଖେଳିବାର ସମ୍ଭାବନା ଅଧିକ । କିନ୍ତୁ ଅଭିମନ୍ୟୁ ଇଶ୍ୱରନଙ୍କ ଡେବ୍ୟୁ କରିବାର ସ୍ୱପ୍ନ ଅଧାରେ ହିଁ ରହିଯିବ ।
previous post
next post