More Sports

ଆଜିଠାରୁ ଆସେସ୍ ଲଢେଇ

(ଓଡିଶାସ୍ପୋର୍ଟସ): ବିର୍ମିଙ୍କଗହମର ଏଜ୍‌ବାଷ୍ଟନ ପଡ଼ିଆରେ ଗୁରୁବାରଠୁ ଆରମ୍ଭ ହେବ ଆସେସ୍‌ ଲଢ଼େଇ। ଏଥି ସହିତ ଆଇସିସି ଦ୍ବାରା ନୂଆ କରି ପ୍ରଣୟନ ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ର ମଧ୍ୟ ଅୟମାରମ୍ଭ ହେବ। ଦୁଇ ପୁରୁଣା ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଆସେସ୍‌ ଜିତିବା ପାଇଁ ବଦ୍ଧ ପରିକର ରହିଛନ୍ତି। ଏପରିସ୍ଥଳେ ନିକଟରେ ବିଶ୍ବକପ୍‌ ବିଜେତା ହୋଇଥିବା ଇଂଲଣ୍ଡ ଘରୋଇ ମାଟିରେ ଆସେସ୍‌ ଜିତି ଯୁଗଳ ସଫଳତା ହାସଲ ଲକ୍ଷ୍ୟ ରଖିଥିଲା ବେଳେ ୧୯ ବର୍ଷ ଧରି ଇଂଲଣ୍ଡ ମା‌ଟିରେ ଆସେସ୍‌ ଜିତିପାରିନଥିବା ଅଷ୍ଟ୍ରେଲିଆ ଏଥର ସେହି ଧାରାକୁ ଅଟକାଇ ଇତିହାସ ରଚିବା ଲକ୍ଷ୍ୟରେ ରହିଛି। ଏଜ୍‌ବାଷ୍ଟନ ଅଷ୍ଟ୍ରେଲିଆ ଦଳ ପାଇଁ ୧୯ ବର୍ଷ ହେଲା ଅଶୁଭ ରହିଆସିଛି। ଏହି ପଡ଼ିଆରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ‌ଦଳ ୨୦୦୧ ମସିହାଠାରୁ ଏପର୍ୟ୍ୟନ୍ତ କୌଣସି ବି ଫର୍ମାଟ୍‌ରେ ବିଜୟ ସ୍ବାଦ ଚାଖିପାରିନାହିଁ। ଏପରିକି ନିକଟରେ ଶେଷ ହୋଇଥିବା ବିଶ୍ବକପ୍‌ ସେମିଫାଇନାଲ୍‌ ମଧ୍ୟ ଏହି ପଡ଼ିଆରେ ଖେଳି ଇଂଲଣ୍ଡ ନିକଟରୁ ହାରିଥିଲା। ଜାସନ୍‌ ରୟଙ୍କ ଧୂଆଁଧାର ୮୫ ରନ୍‌ ଅଷ୍ଟ୍ରେଲିଆକୁ ବିଶ୍ବକପ୍‌ରୁ ବିଦାୟ ରାସ୍ତା ଦେଖାଇ ଦେଇଥିଲା। ୨୦୦୧ ପରେ ବିଭିନ୍ନ ଫର୍ମାଟ୍‌ରେ ଉଭୟ ଦଳ ମଧ୍ୟରେ ୧୫ ଥର ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ବେଳେ ୫ଟିରେ ଫଳାଫଳ ମିଳିନଥିଲା। ବାକି ୧୦ରୁ ୯ଟିରେ ଅଷ୍ଟ୍ରେଲିଆ ପରାସ୍ତ ହୋଇଥିଲା ବେଳେ ଗୋଟିଏ ଅମୀମାଂସିତ ରହିଥିଲା। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏଜ୍‌ବାଷ୍ଟନ୍ ପଡ଼ିଆ ଇଂଲଣ୍ଡ ପାଇଁ ଶୁଭ ସାବ୍ୟସ୍ତ ରହିଆସିଛି। ଏହି ପଡ଼ିଆରେ ଘରୋଇ ଦଳ ତା’ର ଶେଷ ୧୧ ଆନ୍ତର୍ଜାତିକ ମ୍ୟାଚ୍‌ ଜିତି ଅପରାଜେୟ ଧାରା ଲମ୍ବାଇ ଚାଲିଛି।
ଜୋ ରୁଟ୍‌ ଇଂଲଣ୍ଡ ଦଳର ନେତୃତ୍ବ ନେଉଥିଲା ବେଳେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଭାର ସମ୍ଭାଳିବେ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ଟିମ୍‌ ପାଇନ୍‌। ଗତବର୍ଷ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଅବସରରେ ବଲ୍‌ ବିକୃତ ମାମଲାରେ ଛନ୍ଦି ହୋଇ ବାସନ୍ଦ ଦଣ୍ଡ ଭୋଗିବା ପରେ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ୱର୍ନର ଏବଂ କାମେରନ୍‌ ବାନ୍‌କ୍ରଫ୍ଟ ଦଳକୁ ଫେରିବା ପାଇନ୍‌ଙ୍କ ପାଇଁ ଶକ୍ତିବର୍ଦ୍ଦକ ହୋଇଛି। ଏହି ତିନି ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ଏଜ୍‌ବାଷ୍ଟନ ଟେଷ୍ଟ ଖେଳିବା ପ୍ରାୟତଃ ନିଶ୍ଚିତ। ସେମାନଙ୍କ ମଧ୍ୟରୁ ବାନ୍‌କ୍ରପ୍ଟ ଇଂଲିସ୍‌ କାଉଣ୍ଟି ଦଳ ଡୁରାମ୍‌ର ନେତୃତ୍ବ ନେଇଥିବାରୁ ସ୍ଥାନୀୟ ପରିବେଶ ସହ ବେଶ୍‌ ପରିଚିତ ଅଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ଦଳରେ ଅଧିକାଂଶ ବିଶ୍ବକପ୍‌ ବିଜେତା ସଦସ୍ୟ ରହିଛନ୍ତି। ତଥାପି ପ୍ରଥମ ଆସେସ୍‌ ଟେଷ୍ଟ ଜିତିବା ଉଭୟ ଦଳର ଆଗଧାଡ଼ିର ବ୍ୟାଟ୍‌ସମ୍ୟାନ୍‌ଙ୍କ ପ୍ରଦର୍ଶନ ଉପରେ ବିଶେଷକରି ନିର୍ଭର କରିବ। ସେଥିପାଇଁ ଇଂଲଣ୍ଡ ଅଧିନାୟକ ରୁଟ୍‌ ୩ ନମ୍ବର ସ୍ଥାନକୁ ଫେରିବାର ଯୋଜନା କରିଛନ୍ତି। ପୁଣି ଅଲ୍‌ ରାଉଣ୍ଡର ବେନ୍‌ ‌‌ଷ୍ଟୋକ୍ସଙ୍କ ଉପରେ ଇଂଲଣ୍ଡ ପୂରା ଭରସା ରଖିଛି। ୨୦୧୭ ସେପ୍ଟେମ୍ବରରେ ବ୍ରିଷ୍ଟଲର ଏକ ନାଇଟ୍‌ କ୍ଲବ୍‌ରେ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଯୋଗୁଁ ୨୦୧୭-୧୮ ଆସେସ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ ଷ୍ଟୋକ୍ସ। ହେଲେ ଇଂଲଣ୍ଡକୁ ବିଶ୍ବକପ୍‌ ବିଜେତା କରାଇବାରେ ପ୍ରମୁଖ ଭୂମିକା ନେବା ପରେ ଏବେ ଷ୍ଟୋକ୍ସଙ୍କୁ ଦଳର ଉପଅଧିନାୟକ ପଦ ମିଳିଯାଇଛି। ମଧ୍ୟକ୍ରମରେ ତାଙ୍କ ପ୍ରଦର୍ଶନ ଇଂଲଣ୍ଡ ପାଇଁ ଫାଇଦା ଆଣିବ ବୋଲି ଅଧିନାୟକ ରୁଟ୍‌ କହିଛନ୍ତି।
ଇଂଲଣ୍ଡର ସର୍ବକାଳୀନ ଅଗ୍ରଣୀ ୱିକେଟ୍‌ ଦଖଲକାରୀ ବୋଲର ଜେମ୍‌ସ ଆଣ୍ଡରସନ୍‌ ଆହତ ପରେ ଏହି ଟେଷ୍ଟ୍‌କୁ ଫେରିବା ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ସେ ଘରୋଇ ଦଳର ବୋଲିଂ ଆକ୍ରମଣର ମଙ୍ଗ ଧରିବେ। ତାଙ୍କୁ ଆୟର୍ଲାଣ୍ଡ୍‌ ବିପକ୍ଷ ଏକମାତ୍ର ଟେଷ୍ଟ ବିଜୟର ନାୟକ କ୍ରିସ୍‌ ୱକ୍‌ସ ଓ ଷ୍ଟୁଆର୍ଟ ବ୍ରଡ୍‌ ସହାୟତା ଦେ‌ବେ। ସେହିପରି ବିଶ୍ବକପ୍‌ ହିରୋ ଜୋଫ୍ରା ଆର୍ଚର ପ୍ରଥମ ଟେଷ୍ଟ ନଖେଳିଲେ ମଧ୍ୟ ପରବର୍ତୀ ଟେଷ୍ଟ ଖେଳିବା ସମ୍ଭାବନା ଥିବାରୁ ଇଂଲଣ୍ଡ ଦ୍ରୁତ ବୋଲିଂ ଆହୁରି ଶାଣୀତ ହୋଇଯିବ। ଜବାବରେ ଜେମ୍‌ସ ପାଟିନ୍‌ସନ୍‌, ପ୍ୟାଟ୍‌ କମିନ୍ସ, ଜୋସ୍‌ ହାଜ୍‌ଲେଉଡ୍‌ ଓ ମିଚେଲ ଷ୍ଟାର୍କଙ୍କୁ ନେଇ ଗଠିତ ଦ୍ରୁତ ବୋଲିଂ ଆକ୍ରମଣ ଉପରେ ଅଷ୍ଟ୍ରେଲିଆର ଭାଗ୍ୟ ନିର୍ଭର କରିବ। ତେବେ ୬ ସପ୍ତାହ ମଧ୍ୟରେ ୫ ଟେଷ୍ଟ୍‌ ଖେଳିବା ଦ୍ରୁତ ବୋଲରଙ୍କ ପାଇଁ କଡ଼ା ଆହ୍ବାନ ବୋଲି କହିଛନ୍ତି ୨୦୦୧ ଆସେସ୍‌ ବିଜେତା ଦଳର ଅଧିନାୟକ ଷ୍ଟିଭ୍‌ ୱ’। ଷ୍ଟିଭ୍‌ ୱ’ ଏବର ଦଳକୁ ପରିଚାଳନା କରୁଛନ୍ତି।
ଇଂଲଣ୍ଡ ଏକାଦଶ: ରୋରି ବର୍ନସ୍‌, ଜାସନ୍‌ ରୟ, ଜୋ ରୁଟ୍‌ (ଅଧିନାୟକ), ଜୋଏ ଡେନ୍‌ଲି, ବେନ୍‌ ‌‌ଷ୍ଟୋକ୍ସ (ଉପଅଧିନାୟକ), ଜୋସ୍‌ ବଟ୍ଟଲର୍‌, ଜନି ବେୟାରଷ୍ଟୋ (ୱିକେଟ୍‌ରକ୍ଷକ), ମୋଇନ୍‌ ଅଲ୍ଲୀ, ‌କ୍ରିସ୍‌ ୱକ୍‌ସ, ଜେମ୍‌ସ ଆଣ୍ଡରସନ୍‌, ଷ୍ଟୁଆର୍ଟ ବ୍ରଡ୍‌।
ଅଷ୍ଟ୍ରେଲିଆ ଦଳ: ଟିମ୍‌ ପାଇନ୍‌ (ଅଧିନାୟକ/ୱିକେଟ୍‌ରକ୍ଷକ), ପ୍ୟାଟ୍‌ କମିନ୍ସ (ଉପଅଧିନାୟକ), ଟ୍ରାଭିସ୍‌ ହେଡ୍‌ (ଉପଅଧିନାୟକ), କା‌ମେରନ୍‌ ବାନ୍‌କ୍ରଫ୍ଟ, ମାର୍କସ୍‌ ହାରିସ୍‌, ଜୋସ୍‌ ହାଜ୍‌ଲେଉଡ୍‌, ଉସ୍‌ମାନ ଖୱାଜା, ମାର୍ନସ୍‌ ଲାବୁଶ୍ଚେଙ୍ଗ୍‌, ନାଥନ୍‌ ଲାୟନ୍‌, ମିଚେଲ ମାର୍ସ, ମାଇକେଲ ନେସେର, ଜେମ୍‌ସ ପାଟିନ୍‌ସନ୍‌, ପିଟର ସିଡ୍‌ଲେ, ‌ଷ୍ଟିଭ୍‌ ସ୍ମିଥ୍‌, ମିଚେଲ ଷ୍ଟାର୍କ, ମାଥ୍ୟୁ ୱାଦେ (ୱିକେଟ୍‌ରକ୍ଷକ) ଓ ଡେଭିଡ୍‌ ୱର୍ନର।

Related posts

ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ଆରୋହଣ କଲେ ଓଡ଼ିଆ ଝିଅ ଅନିତା

ଫିଫା ଅଣ୍ଡ-୧୭ ମହିଳା ବିଶ୍ୱ କପ୍ ପରବର୍ତ୍ତି ବର୍ଷ ଭାରତରେ ଖେଳାଯିବ

Odisha Sports Bureau

ବହରେନ ଗ୍ରାଣ୍ଡ ପ୍ରିକ୍ସରେ ରୋମେନ ଗ୍ରୋସେନ ଦୁର୍ଘଟଣାର ଶିକାର

Odisha Sports Bureau