ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ । ୫ ବର୍ଷ ପରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଦଳକୁ ଫେରିଛନ୍ତି କ୍ୟାପଟେନ କିଙ୍ଗ କୋହଲୀ । ବିରାଟଙ୍କ ପ୍ରତ୍ୟାବର୍ତ୍ତନ ପରେ ବଦଳିଯାଇଛି ଦଳର ପ୍ଲେଇଙ୍ଗ ଇଲେଭେନ । ଗୋଟିଏ କି ଦୁଇଟି ନୁହେଁ ଦଳରେ ହୋଇଛି ତିନୋଟି ପରିବର୍ତ୍ତନ । ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହିତ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ଦ୍ରୁତ ବୋଲର ଇଶାନ୍ତ ଶର୍ମା ।
ତେବେ ପ୍ରଥମ ଟେଷ୍ଟରେ ଡେବ୍ୟୁ କରିଥିବା ଶ୍ରେୟସ ଅୟର ନିଜ ସ୍ଥାନ ବଜାୟ ରଖିଛନ୍ତି । ଉଭୟ ଇନିଂସରେ ୧୭୦ ରନ କରି ଇଣ୍ଡିଆନ ଟିମରେ ଜବରଦସ୍ତ ଏଣ୍ଟ୍ରି ମାରିଥିଲେ ଶ୍ରେୟସ । କାନପୁର ଟେଷ୍ଟର ଶେଷ ଦିନରେ ରାହାଣେଙ୍କ ବାମ ଗୋଡରେ ଆଘାତ ଲାଗିଥିଲା । ସେହିପରି ଇଶାନ୍ତ ଶର୍ମା ଓ ରବିନ୍ଦ୍ର ଜାଡେଜା ମଧ୍ୟ ଆହତ ହୋଇଥିଲେ । ଫଳରେ ସେ ଦ୍ୱିତୀୟ ମ୍ୟାଚରୁ ବାଦ ପଡିଛନ୍ତି ।
ତେବେ ଦ୍ୱିତୀୟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛନ୍ତି ବିରାଟ । ଶୁଭମନ ଗିଲ ଏବଂ ମୟଙ୍କ ଅଗ୍ରୱାଲ ଦଳର ମୂଳଦୁଆ ସାଜି ଦଳର ଖାତା ଖୋଲିଛନ୍ତି । ଉଭୟଙ୍କ ନିକଟରୁ ସୁନ୍ଦର ଇନିଂସ ଆରମ୍ଭ କରିବା ନେଇ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ଏବଂ ଅଧିନାୟକ ବିରାଟ କୋହଲୀ । ମଧ୍ୟକ୍ରମରେ ଚେତେଶ୍ୱର ପୂଜାରା, ବିରାଟ କୋହଲୀ ଏବଂ ଶ୍ରେୟସ ଅୟରଙ୍କ ପାଳି ସହ କିୱିକୁ ଏକ ବଡ ଟାର୍ଗେଟ ଦେବା ପାଇଁ ଲକ୍ଷ ରଖିବ ବିରାଟ ବ୍ରିଗେଡ । ପରେ ରିଦ୍ଧିମାନ ସାହା, ରବିଚନ୍ଦ୍ରନ ଅଶ୍ୱୀନ ଏବଂ ଅକ୍ସର ପଟେଲ ମଧ୍ୟ ଭଲ ସ୍କୋର କରିବାରେ ସକ୍ଷମ ଅଛନ୍ତି ।