Cricket

ଦକ୍ଷିଣ ଆଫ୍ରିକା ୨୪୩ ରନ୍‌‌ରେ ପରାସ୍ତ କଲା ଭାରତ

ଇଡେନ୍‌ରେ ଟେବୁଲ୍‌ ଟପ୍ପରଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବାନୁମାନ ଥିଲା। ଫାଇନାଲ୍ ପୂର୍ବରୁ ଏହା ଡ୍ରେସ୍ ରିହରସାଲ୍‌ ସଦୃଶ ରହିବ ବୋଲି ଅନେକ କ୍ରିକେଟ୍ ବିଶାରଦ କହୁଥିଲେ। କିନ୍ତୁ ଭାରତର ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକାର ଚର୍ଚ୍ଚିତ ବ୍ୟାଟିଂ ଫିକା ପଡ଼ିଗଲା। ବିରାଟ କୋହଲିଙ୍କ ମାଇଲଖୁଣ୍ଟ ଶତକ (୧୦୧* ରନ୍‌) ପ୍ରଥମ ପାଳିକୁ ରୁଦ୍ଧିମନ୍ତ କରିଥିଲା। ଭାରତୀୟ ବୋଲିଂ ବାହିନୀ କିନ୍ତୁ ପୁଣି ଥରେ ଏକାଠି ଲଢ଼ି ଶକ୍ତିଶାଳୀ ମନେ ହେଉଥିବା ଦକ୍ଷିଣ ଆଫ୍ରିକାକୁ ମାମୁଲି ସାବ୍ୟସ୍ତ କରିଦେଲେ। ୩୨୭ ରନ୍‌ ଲକ୍ଷ୍ୟକୁ ପିଛା କରିବାକୁ ଆସି ତେମ୍ବା ବଭୂମାଙ୍କ ଦଳ ପ୍ରଥମରୁ ହାର ମାନି ନେଇଥିଲା‌। ଯଶପ୍ରୀତ ବୁମରା ରନ୍ ରୋକିବା ପରେ ମହମ୍ମଦ ସାମି ୱିକେଟ୍ ପତନ ଧାରା ଆରମ୍ଭ କରିଥିଲେ।

ଲୋକାଲ୍‌ ବୟ ମହମ୍ମଦ ସାମି ଡବଲ୍‌ ଝଟ୍‌କା ଦେବା ପରେ ଅବଶିଷ୍ଟ କାର୍ଯ୍ୟ ସମାପନ କରିଥିଲେ ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜା‌ଡ଼େଜା (୫/୩୩) ଏବଂ କୁଲଦୀପ ଯାଦବ (୨/୭)। ବ୍ୟାଟିଂ ବୀର କୁହାଯାଉଥିବା ଦକ୍ଷିଣ ଆଫ୍ରିକା ପାଳି ୨୭.୧ ଓଭର ଓ ୮୩ ରନ୍‌ରେ ରଗଡ଼ି ହୋଇଯାଇଥିଲା। ଆଉ ଏକ ବୃହତ ବିଜୟ (୨୪୩ ରନ୍‌) ପଞ୍ଜିକୃତ କରି ନେଇଥିଲା ଭାରତ। ଏଥିସହିତ ଭାରତର ୧୯୯୬ ବିଶ୍ବକପ୍‌ର ଇଡେନ୍ ତିକ୍ତତା ମନରୁ ସମ୍ପୂର୍ଣ୍ଣ ଲିଭିଯାଇଥିଲା।

କୋଲ୍‌କାତା ଆସିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ନାମରେ ଚଳିତ ବିଶ୍ବକପ୍‌ର ସର୍ବୋଚ୍ଚ ଦଳଗତ ସ୍କୋର୍ (୪୨୮/୫), ସର୍ବାଧିକ ଛକା (୮୩), ସର୍ବାଧିକ ଶତକ (୮) ଆଦି ରେକର୍ଡ ଥିଲା। କିନ୍ତୁ ଅଲ୍‌ରାଉଣ୍ଡ୍‌ କ୍ରିକେଟ୍ ଖେଳୁଥିବା ରୋହିତ ସେନାଙ୍କ ‘ତିନ୍‌ କା ଡ୍ରିମ୍‌’ ଅଭିଯାନ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଯାଇଥିଲା। ଭାରତ ୮ରୁ ୮ ବିଜୟ ସହ ଶୀର୍ଷ ସ୍ଥାନକୁ ଏକ ପ୍ରକାର ଦୃଢ଼ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୮ରୁ ଦ୍ବିତୀୟ ପରାଜୟ ବରଣ କରିଛି। ୨୦୦୩ ଭଳି କ୍ରମାଗତ ୮ ବିଜୟ ପାଇବା ରେକର୍ଡର ସମକକ୍ଷ ହୋଇଛି ଭାରତ। ଏହି ଫଳାଫଳ ମଧ୍ୟ ବିଶ୍ବକପ୍‌ ଗ୍ରୁପ୍‌କୁ ମୁକୁଳା କରିଦେଇଛି। ବିଶେଷ କରି ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତ‌ାନକୁ ନୂଆ ଜୀବନ ଦେଇଛି। ବିରାଟ କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ରବୀନ୍ଦ୍ର ଜାଡ଼େଜା ମ୍ୟାଚ୍‌ର ପ୍ରଭ‌ାବୀ ଖେଳାଳି ହୋଇଥିଲେ। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ ନଭେମ୍ବର ୧୨ରେ ବେଙ୍ଗାଲୁରୁରେ ନେଦରଲାଣ୍ଡ୍‌ସ ସହ ଖେଳିବ।

Related posts

ଦଳର ନାମ ପରିବର୍ତ୍ତନ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାଭ୍ୟା ମାରାନ

Odisha Sports Bureau

ଆଇପିଏଲ ଖେଳିବେ କଂଗ୍ରେସ ନେତା ପପ୍ପୁ ଯାଦବଙ୍କ ପୁଅ

Odisha Sports Bureau

ଅନ୍ତିମ ଟି-୨୦, ଭାରତ ଆଗରେ ୨୧୩ର ବିଜୟ ଲକ୍ଷ୍ୟ

Odisha Sports Bureau