Cricket

ନ୍ୟୁଜିଲାଣ୍ଡର କ୍ରମାଗତ ବିଜୟ

ହାଇଦ୍ରାବାଦ : ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡର ବିଜୟ ଧାରା ଜାରି ରହିଛି । ଉଦଘାଟନୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇଥିବା ବେଳେ ଆଜି ଅପେକ୍ଷାକୃତ ନେଦରଲ୍ୟାଣ୍ଡ୍ସକୁ ମାତ୍ ଦେଇଛି । ହାଇଦ୍ରାବାଦରେ ଖେଳା ଯାଉଥିବା ଆଜିର ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୫୦ ଓଭର୍ରେ ୭ ୱିକେଟ ହରାଇ ୩୨୨ ରନ କରିଥିଲା । ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ୪୭.୩ ଓଭର୍ରେ ସମସ୍ତ ୱିକେଟ ହରାଇ କେବଳ ୨୨୩ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ଟମ ଲାଥମଙ୍କ ନ୍ୟୁଜିଲ୍ୟାଣ୍ଡ ୯୯ ରନରେ ମ୍ୟାଚ୍ ଜିତି ନେଇଛି । ଏହା ନ୍ୟୁଜିଲ୍ୟାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଡଚ୍ ଟିମର ଦ୍ୱିତୀୟ ପରାଜୟ ପ୍ରଥମ ମ୍ୟାଚ୍ରେ ଦଳ ପାକିସ୍ତାନ ଠାରୁ ହାରିଥିଲା ।

ଟସ୍ ହାରି ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ୱିକେଟରେ ଡେଭୋନ କନୱେ ଓ ୱିଲ ୟଙ୍ଗ ୬୭ ରନ ଯୋଡ଼ିଥିଲେ । କନୱେ ୩୨ ରନ କରି ଆଉଟ ହୋଇଥିବା ବେଳେ ୟଙ୍ଗ ୭୦ ରନର ଇନିଂସ ଖେଳିଥିଲେ । ୩ନଂରେ ବ୍ୟାଟିଂ କରିଥିବା ରଚିନ ରବୀନ୍ଦ୍ର ୫୧ ବଲରେ ୫୧, ଡାର୍ଲି ମିଚେଲ ୪୭ ବଲରେ ୪୮, ଅଧିନାୟକ ଟମ ଲାଥମ ୪୬ ବଲରେ ୫୩, ଗ୍ଲେନ ଫିଲିପ୍ସ ୪, ମାର୍କ ଚାମ୍ପମାନ ୫ ରନ କରିଥିଲେ । ଶେଷ ଭାଗରେ ମିଚେଲ ସାଣ୍ଟନର ୧୭ ବଲରେ ବିସ୍ଫୋରକ ୩୬ ଓ ମ୍ୟାଟ ହେନରୀ ୪ ବଲରେ ୧୦ ରନ କରିବାରୁ କି ଟିମ ୫୦ ଓଭର୍ରେ ୭ ୱିକେଟ ହରାଇ ୩୨୨ ରନ କରିଥିଲା ।

ନେଦରଲ୍ୟାଣ୍ଡସ ପକ୍ଷରୁ ଆର୍ଯ୍ୟନ ଦତ୍ତ, ପଲ ଭାନ ମୀକେରେନ ଓ ରୋଲଫ ଭାନ ଡେର ମେରେ ଦୁଇଟି ଲେଖାଏ ସଫଳତା ପାଇଥିଲେ । ସେହିପରି ବାସ ଡେ ଲିଡେ ଗୋଟିଏ ୱିକେଟ ନେଇଥିଲେ । ୩୨୩ ରନର ଟାର୍ଗେଟ ପାଇଥିବା ଡଚ୍ ଟିମ ୨୧ ରନରେ ପ୍ରଥମ ୱିକେଟ ହରାଇଥିଲା ବିକ୍ରମଜିତ ସିଂହ ମାତ୍ର ୧୨ ରନ କରି ହେନରୀଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ମ୍ୟାକ୍ସ ଓ ଡାଉଡ ୧୬ ରନ କରି ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ୱିକେଟ ସାଣ୍ଟନରଙ୍କ ଖାତାକୁ ଯାଇଥିଲା ।

Related posts

ଅଭିନେତ୍ରୀ ନଗମାଙ୍କୁ ମନ ଦେଇଥିଲେ ଗାଙ୍ଗୁଲି

ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି ସନରାଇଜସୀ ହାଇଦ୍ରାବାଦ

ବିଶ୍ୱକପ ପାଇଁ ଦଳରେ ସ୍ଥାନ ପାଇବା ପରେ ଅବସର ଘୋଷଣା କଲେ ଡି କକ୍

Odisha Sports Bureau