ନୂଆଦିଲ୍ଲୀ: ବିଶ୍ୱକପ୍ର କ୍ରେଜ୍ ପରେ ଆରମ୍ଭ ହେବ ବିଶ୍ୱର ସବୁଠୁ ଧନୀ କ୍ରୀଡା ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍। ଆସନ୍ତା ଡିସେମ୍ବରରେ ଦୁବାଇରେ ହୋଇପାରେ ଖେଳାଳିଙ୍କ ନିଲାମ। ଏହି ଅବସରରେ କ୍ରିକେଟ୍ ଲିଗରେ ଅଂଶଧନ କିଣିପାରନ୍ତି ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍ ସଲମାନ। ଏକ ମିଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଯଦି ଏହା ହୁଏ ତେବେ ପ୍ରଥମେ ଆଇପିଏଲର ମାଲିକାନା ଅଧିକାର ଏକ ନୂତନ କମ୍ପାନୀର ହାତକୁ ଯିବ। ଏହାର ମୂଲ୍ୟ ୩୦ ବିଲିୟନ ଆମେରିକୀୟ ଡଲାର ହେବ (୨,୪୯୮,୬୮୦,୭୧୦,୦୦୦ ଟଙ୍କା)। ଏହା ପରେ ସାଉଦି ପ୍ରିନ୍ସ ଏଥିରେ ଅଂଶଧନ କିଣିବେ।
ବ୍ଲୁମବର୍ଗ ନ୍ୟୁଜ୍ କହିବାନୁସାରେ, ଆଇପିଏଲରେ କୋଟି କୋଟି ଟଙ୍କା ମୂଲ୍ୟର ଅଂଶଧନ କିଣିବାକୁ ସାଉଦି ଆରବ ଆଗ୍ରହ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ଉପଦେଷ୍ଟାମାନେ ଭାରତୀୟ ସରକାରୀ ଅଧିକାରୀଙ୍କ ସହ 30 ବିଲିୟନ ଡଲାର ମୂଲ୍ୟର ଏକ ହୋଲଡିଂ କମ୍ପାନୀକୁ ଆଇପିଏଲ ସ୍ଥାନାନ୍ତର କରିବା ବିଷୟରେ ଆଲୋଚନା କରିଛନ୍ତି।
ସେପ୍ଟେମ୍ବରରେ କ୍ରାଉନ୍ ପ୍ରିନ୍ସ ଭାରତ ଗସ୍ତରେ ଆସିଥିବା ବେଳେ ଏନେଇ ଆଲୋଚନା ହୋଇଥିବା ଜଣାଯାଇଛି। ଏହି ଲିଗରେ ୫ ବିଲିୟନ ଡଲାର ବିନିଯୋଗ ଏବଂ ଏହାକୁ ଅନ୍ୟ ଦେଶକୁ ବିସ୍ତାର କରିବାରେ ପ୍ରସ୍ତାବ ଦିଆଯାଇଥିଲା।
ଆଇପିଏଲର ପୃଷ୍ଠପୋଷକ ଥିବା ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ରଏଟର୍ସ ଅନୁରୋଧ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଆଇପିଏଲ୍ ଦୁନିଆର ସବୁଠାରୁ ଧନୀ ଲିଗ୍ ମଧ୍ୟରୁ ଅନ୍ୟତମ ଏବଂ ୨୦୦୮ରେ ଉଦଘାଟନୀ ସଂସ୍କରଣ ପରଠାରୁ ବିଶ୍ୱର ସବୁ ଖେଳାଳି ଏବଂ ପ୍ରଶିକ୍ଷକଙ୍କୁ ଆକର୍ଷିତ କରିଆସୁଛି।
ଆଇପିଏଲ୍ ବର୍ତ୍ତମାନ ଦୁନିଆର ସବୁଠୁ ବଡ କ୍ରୀଡା ଲିଗ୍ ହୋଇପାରିଛି। ଆୟ ଦୃଷ୍ଟିକୋଣରୁ କେବଳ NBA ପରି ବଡ ଲିଗ୍ ଆଇପିଏଲ୍ ଠାରୁ ଆଗରେ ଅଛି। ଆଇପିଏଲର ଗୋଟିଏ ମ୍ୟାଚ୍ ରୋଜଗାର ୧୦୦ କୋଟିରୁ ଅଧିକ ହୋଇଥିବାବେଳେ ଇଂଲିଶ ପ୍ରିମିୟର ଲିଗର ଗୋଟିଏ ମ୍ୟାଚ୍ ରୋଜଗାର ପ୍ରାୟ ୮୫ କୋଟି। ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ସାଉଦି ଆରବ ଆଇପିଏଲରେ ନିବେଶ କରିବା ନେଇ ଖବର ଆସିଥିଲା