ନୂଆଦିଲ୍ଲୀ: T20 World Cup 2026ରେ ଭାରତ ବିରୋଧରେ ମ୍ୟାଚ୍ ଖେଳିବାକୁ ନେଇ ପାକିସ୍ତାନ ନେଇଥିବା ବହିଷ୍କାର ନିଷ୍ପତ୍ତି ଏବେ ପଛକୁ ହଟିପାରେ। ପୂର୍ବରୁ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ, ଭାରତ ସହ T20 World Cup ମ୍ୟାଚ୍ ଖେଳାଯିବ ନାହିଁ। ଏହି ଘୋଷଣା ପରେ ଆନ୍ତର୍ଜାତୀୟ କ୍ରିକେଟ୍ ମହଳରେ ହଲଚଲ ସୃଷ୍ଟି ହୋଇଥିଲା। ଏବେ Times of India ରିପୋର୍ଟ ଅନୁସାରେ, ଏହି ବିବାଦର ସମାଧାନ ପାଇଁ ICCର ଦୁଇ ଶୀର୍ଷ କର୍ମକର୍ତ୍ତା ଲାହୋର ପହଞ୍ଚିଛନ୍ତି। ICC ଉପାଧ୍ୟକ୍ଷ ଇମ୍ରାନ ଖ୍ୱାଜା ଏବଂ ଏସୋସିଏଟ୍ ମେମ୍ବର ଡାଇରେକ୍ଟର ମୁବଶିର ରହମାନୀ 8 ଫେବୃଆରୀରେ ଲାହୋରରେ PCB କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।
ICC ପକ୍ଷରୁ ପ୍ରତିନିଧି ଦଳକୁ ପାକିସ୍ତାନ ପଠାଯିବା ସ୍ପଷ୍ଟ କରୁଛି ଯେ, ଭାରତ-ପାକିସ୍ତାନ ମ୍ୟାଚ୍ ବିଷୟରେ ଶୀଘ୍ର ସମାଧାନ ଚାହୁଁଛି ICC। ଏହା ଟୁର୍ଣ୍ଣାମେଣ୍ଟର ବ୍ୟବସାୟିକ ଓ ପ୍ରସାରଣ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପଟେ ନ୍ୟୁଜ୍ ଏଜେନ୍ସି IANS ରିପୋର୍ଟ ଅନୁସାରେ, ICC ଓ PCB ମଧ୍ୟରେ ହୋଇଥିବା ବୈଠକ ପରେ ଭାରତ-ପାକିସ୍ତାନ ମ୍ୟାଚ୍ ହେବାର ସମ୍ଭାବନା 99% ରହିଛି। ଅନୁମାନ କରାଯାଉଛି ଯେ, ପାକିସ୍ତାନ ତାଙ୍କର ପୂର୍ବ ବହିଷ୍କାର ନିଷ୍ପତ୍ତିରୁ ହଟିପାରେ । ତେବେ କହିରଖୁଛୁ ଯେ, ICC ପୂର୍ବରୁ ମଧ୍ୟ ପାକିସ୍ତାନର ବହିଷ୍କାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲା। ଏହାସହ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମଧ୍ୟ ସଚେତନ କରାଇଥିଲା ଯେ, ଭାରତ-ପାକିସ୍ତାନ ମ୍ୟାଚ୍ ନ ହେଲେ ଆର୍ଥିକ ଭାବେ ଅନ୍ୟ ଦେଶମାନେ ମଧ୍ୟ ପ୍ରଭାବିତ ହୋଇପାରନ୍ତି।
