ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆଙ୍କୁ ଲାଗିଛି ଏକ ବଡ ଝଟକା । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତକୁ ଗୌରବାନ୍ୱିତ କରୁଥିବା ବଜରଙ୍ଗ ଆହତ ହୋଇଥିବା ଜଣାପଡିଛି । ଯାହାଫଳରେ ତାଙ୍କୁ ବିଶ୍ୱ ରେସଲିଂ ଚମ୍ପିଆନସିପରୁ ଓହରିବାକୁ ପଡିଛି । ଲିଗାମେଣ୍ଟରେ ଆଘାତ ଲାଗିଥିବାରୁ ଆସନ୍ତା ୬ ମାସ ତାଙ୍କୁ ରିହାବିଲିଟେସନରେ ରହିବେ । ତେବେ ବିଶ୍ୱ ରେସଲିଂ ଚମ୍ପିଆନସିପ ଅକ୍ଟୋବର ମାସରେ ଆୟୋଜିତ ହେବାକୁ ଥିବାରୁ ଏଥିରେ ଭାଗ ନେଇ ପାରିବେନି ବଜରଙ୍ଗ ପୁନିଆ । ଜୁନ୍ ମାସରେ ରୁଷରେ ଆୟୋଜିତ ଅଲି ଅଲିଏଭ୍ ଟୁର୍ଣ୍ଣାମେଣ୍ଟରେ ବଜରଙ୍ଗ ଆହତ ହେବା ପରେ ଏମଆରଆଇ ସ୍କାନ୍ କରାଇବା ସହ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲ ସ୍ପୋର୍ଟ୍ସ ମେଡିସିନ୍ ସେଣ୍ଟରର ଡାକ୍ତର ଦିନଶା ପରଦିୱାଲାଙ୍କ ଠାରୁ ପରାମର୍ଶ ନେଇଥିଲେ । ଆଘାତକୁ ଦେଖି ଡାକ୍ତର ତାଙ୍କୁ ୬ ମାସ ପର୍ଯ୍ୟନ୍ତ ରିହାବିଲିଟେସନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।
ତେବେ ଏ ଘଟଣା ସମ୍ପର୍କରେ ବଜରଙ୍ଗ ନିଜେ ନ୍ୟୁଜ ଏଜେନ୍ସିକୁ ସ୍ପଷ୍ଟ କରିଛନ୍ତି । ଏତି ସହିତ ଚଳିତ ବର୍ଷ ଆଉ କୌଣସି ପ୍ରତିଯୋଗିତା ନଥିବାରୁ ଏଡିଠାରେ ତାଙ୍କ ପ୍ରତିଯୋଗିତା ଶେଷ ହେଉଛି ବୋଲି କହିଛନ୍ତି ବଜରଙ୍ଗ । ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଆହତ ହେବାରୁ ସେମିଫାଇନାଲ୍ ମୁକାବିଲାର ଅଧାରୁ ଓହରି ଯାଇଥିଲେ । ତେବେ ପରେ ବଜରଙ୍ଗ ଅଲିମ୍ପିକ୍ସରେ ୬୫ କେଜି ବର୍ଗରେ ଭାଗ ନେଇ ଦେଶକୁ ବ୍ରୋଞ୍ଜ ପଦକ ଜିତାଇଥିଲେ । ଏ ନେଇ ବଜରଙ୍ଗ କହିଛନ୍ତି, ଏହା ମୋର ପ୍ରଥମ ଅଲିମ୍ପିକ୍ସ ଥିଲା ଏବଂ ମୁଁ ଅଲିମ୍ପିକ୍ସ ପଦକ ଜିତିବାର ସ୍ୱପ୍ନ ଦେଖୁଥିଲି । ଟୋକିଓରେ ଯନ୍ତ୍ରଣା ସତ୍ତ୍ୱେ ଭାଗ ନେଲି । କିନ୍ତୁ ମୋତେ ଆଦୌ ରିସ୍କ ନେବାର ନଥିଲା ବୋଲି ବଜରଙ୍ଗ କହିଛନ୍ତି।
previous post
next post