(ଓଡିଶା ସ୍ପୋର୍ଟ): ଭାରତୀୟ ପୁରୁଷ ଦଳ ଭଳି ମହିଳା ଦଳର ମଧ୍ୟ ସମାନ ପରିସ୍ଥିତି । ପୁରୁଷ ଦଳ ଭଳି ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଘରୋଇ ନ୍ୟୁଜିଲାଣ୍ଡ ଠାରୁ ହାରି ଯାଇଛି । ଆଜି ସେଡନ୍ ପାର୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଭାରତୀୟ ମହିଳା ଦଳ ୮ ଓ୍ଵିକେଟ୍ରେ ପରାସ୍ତ ହୋଇଛି । ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବାରୁ ମିତାଲି ରାଜ୍ଙ୍କ ଟିମ୍ ୨-୧ରେ ସିରିଜ୍ ବିଜୟୀ ହୋଇଛି ।
ଆଜି ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତୀୟ ଦଳ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୪୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୫୨ ରନ୍ କରିଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୨ ଓ୍ଵିକେଟ୍ ବିନିମୟରେ ୨୯.୨ ଓଭର ଖେଳରେ ୧୫୩ ରନ୍ କରି ଜିତି ଯାଇଥିଲା । ବିଜୟୀ ଦଳର ଏମି ସେଟର୍ଥଓ୍ଵାଇଟ୍ ଅପରାଜିତ ୬୬ ଏବଂ ସୁଜି ବତସ୍ ୫୭ ରନ୍ କରିଥିଲେ । ଏହା ସହିତ ଭାରତ-ନ୍ୟୁଜିଲାଣ୍ଡ ମହିଳା ଦଳର ଦିନିକିଆ ସିରିଜ୍ ଶେଷ ହୋଇଛି । ତେବେ ପୁରୁଷ ଦଳର ଆଉ ଗୋଟିଏ ମ୍ୟାଚ୍ ବାକି ଅଛି ।