ଯାଜପୁର: କ୍ରୀଡା ହବରେ ପରିଣତ ହେବ ଯାଜପୁର ଜିଲ୍ଲା । ଏନେଇ ଆରମ୍ଭ ହୋଇଛି ଉଦ୍ୟମ । ତେବେ ପ୍ରତିଟି କ୍ଷେତ୍ରରେ ଯାଜପୁର ସାଉଁଟିଛି ପ୍ରଶଂସା । ଖାଲି ଖେଳ କ୍ଷେତ୍ରରେ ନୁହେଁ ରାଜ୍ୟର ବିକାଶ ଯାତ୍ରାରେ ସାମିଲ ହୋଇଛି ଯାଜପୁର ଜିଲ୍ଲା । କଳା, ସଂସ୍କୃତି, କୃଷି, ଶିଳ୍ପ, ଶିକ୍ଷା, ରାଜନିତୀ ଠାରୁ ଆରମ୍ଭ କରି ପ୍ରାକୃତିକ ସଂପଦ ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଆଗୁଆ ରହିଛି ଯାଜପୁର । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଯାଜପୁର ଜିଲ୍ଲା ରହିଛି । ଉତ୍ତମ କ୍ରୀଡା ଭିତିଭୂମି ସୃଷ୍ଟି କରି ଆଗାମୀ ଦିନରେ କ୍ରୀଡା ହବ କରିବାକୁ ଯୋଜନା କରାଯାଇଛି ।ରାଜ୍ୟର କ୍ରୀଡା ମାନଚିତ୍ରରେ ଯାଜପୁର ଜିଲ୍ଲାକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଆନ୍ତର୍ଜାତୀୟ ସ୍ତରର କ୍ରୀଡା ଭିତିଭୂମି ସୃଷ୍ଟି କରି ଜାତୀୟ ଓ ଆନ୍ତଜାତୀୟ ସ୍ତରର କ୍ରୀଡାବିତ ସୃଷ୍ଟିକରିବା ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ଯାହା ଫଳରେ ଆଗାମୀ ଦିନରେ ଏହା ରାଜ୍ୟର ଅନ୍ୟତମ କ୍ରୀଡା ହବ୍ ଭାବେ ପରିଣତ ହୋଇପାରିବ । ଯାଜପୁର ଜିଲ୍ଲା ସଦର ମହକୁମାରେ ଅନେକ ପ୍ରକଳ୍ପ ସରିଥିବା ବେଳେ ଅନେକ ପ୍ରକଳ୍ପ କାମ ଜାରି ରହିଛି ।ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ର କାମ ସରିଥିବା ବେଳେ ଏଠାରେ ପ୍ରଶିକ୍ଷଣ କାମ ଆରମ୍ଭ ହୋଇଛି । ଜିଲ୍ଲାର କୋଣ ଅନୁକୋଣରୁ କ୍ରୀଡାବିତ ମାନେ ପ୍ରଶିକ୍ଷଣ ନେଉଛନ୍ତି । ଅତ୍ୟାଧୁନିକ ଲାଇଟ ସାଙ୍ଗକୁ ସିନ୍ଥେଟିକ ଆର୍ଷ୍ଟୋଟର୍ପଂ ଗ୍ରାଉଣ୍ଡରେ ଏହି ପ୍ରଶିକ୍ଷଣ ଦିଆଯାଉଛି । ଖେଳାଳୀ ଚୟନ କରି ସେମାନଙ୍କୁ ଏଠାରେ ପ୍ରଶିକ୍ଷଣ ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ପ୍ରଥମ ଥର ଯାଜପୁର ଜିଲାରେ ଏହି ହକି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଥିବାରୁ ଏହାକୁ ନେଇ କ୍ରୀଡାବିତ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।