ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି ଭାରତୀୟ ହକି ଦଳ । ସାରା ବିଶ୍ୱରେ ଭାରତର ଟେକ ରଖିଥିବା ମହିଳା ଏବଂ ପୁରୁଷ ହକି ଟିମକୁ ଶିଙ୍ଗ ବାଜା, ଢୋଲ ଏବଂ ବାଣ ରୋଷଣୀରେ ସ୍ୱାଗତ ଜଣାଇଛି ଓଡିଶାର ରାଜଧାନୀ । ଭୁବନେଶ୍ୱରର ଏୟାରପୋର୍ଟରୁ ହୋଟେଲ୍ , ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟରରେ ହକି ଖେଳାଳିଙ୍କୁ ସ୍ୱାଗତ କରାଯାଇଛି । ଦଳ ବିମାନବନ୍ଦରରେ ପହଞ୍ଚିବା ପରେ କ୍ରୀଡାମନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିଥିଲେ । ଟୋକିଓ ଅଲିମ୍ପିକ୍ସରେ ଭାରତର ଏକ ବରାଟ ସଫଳତା ପରେ ଦଳମାନଙ୍କୁ ସ୍ୱାଗତ ପାଇଁ ସହରର ସାରା ,ଭଳି ଉତ୍ସାହ ଏବଂ ଉତ୍କଣ୍ଠା ଦେଖାଦେଇଛି । ଅଲିମ୍ପିକ୍ସରେ ପୁରୁଷ ହକି ଦଳ ବୋଞ୍ଜ ପଦକ ହାସଲ କରିତିବା ବେଳେ ମହିଳା ଦଳ ମଧ୍ୟ ଖୁବ ଲଢୁଆ ପ୍ରଦର୍ଶନ କରିଥିଲା । ଉଭୟ ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲ୍ ରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା କରିବେ । ହୋଟେଲ୍ ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ୟ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ହକି ଦଳର ସମସ୍ତ ସୁବିଧା ଭୁବନେଶ୍ୱରର ହୋଟେଲ ସାଣ୍ଡିସ ଟାୱାରରେ କରାଯାଇଛି । ସାଣ୍ଡିସ୍ ଟାୱାରକୁ ଫୁଲ ଓ ରଙ୍ଗିନ୍ ଆଲୋକରେ ସଜା ଯାଇଛି । ସବୁ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ସକାଳ ଜଳଖିଆ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଛି। ମଧ୍ୟାହ୍ନ ଭୋଜନରେ ପୁରୁଷ ହକି ଖେଳାଳିଙ୍କ ପାଇଁ ବିଶେଷକରି ମଟନ ବିରିୟାନି ଏବଂ ମଟନର ୪ଟି ଡିସ୍ ପ୍ରସ୍ତୁତ ହୋଇଛି । ସେହିପରି ମହିଳା ଖେଳାଳିଙ୍କ ପାଇଁ କବାବ ରହିଛି । ଏହାଛଡ଼ା ପନିର ପଞ୍ଜାବୀ ମସଲା, ଡାଲ୍ ମଖନୀ ମସ୍ ରୁମ୍ , ଚିଲ୍ଲି ପ୍ରନ୍ , ଚକୁଳି, ଚିଲ୍ଲି ଗାର୍ଲିକ ନୁଡ଼ୁଲ୍ସ, ବେବି କର୍ଣ୍ଣ, ସକାଳ ଜଳଖିଆରେ ପରଠା, ଦହି, ଇଡ୍ ଲି, ଦୋଷା, ଉପ୍ ମା, ବରା, କର୍ଣ୍ଣଫ୍ଲେକ୍ସ, ଶିଝା ଅଣ୍ଡା, ସେକ୍ , ତାଜାଫଳ ଜୁସ୍ ଆଦି ମେନୁ ରହିଛି । ହକି ଟିମ୍ ଏୟାରପୋର୍ଟରୁ ଆସି ହୋଟେଲ୍ ରେ ପହଞ୍ଚିବା ଆଉ ଫେରିବା ପର୍ୟ୍ୟନ୍ତ ଯେପରି କୌଣସି ପ୍ରକାର ସମସ୍ୟା ନ ଉପୁଜେ, ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।