Cricket

ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କଲା କୋଲକାତା

ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ୮ ୱିକେଟ୍‌ରେ ପରାସ୍ତ କରି ଲିଗ୍ ଟପ୍ପର୍‌ କୋଲ୍‌କାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି। ହାଇଦ୍ରାବାଦକୁ ଏବେ ଦ୍ବିତୀୟ କ୍ବାଲିଫାୟର୍ ଖେଳିବାକୁ ହେବ। ବୁଧବାର ଖେଳାଯିବାକୁ ଥିବା ରାଜସ୍ଥାନ ରୟାଲ୍ସ-ରୟାଲ୍ ଚ୍ୟା‌େଲଞ୍ଜର୍ସ ବେଙ୍ଗାଲୁରୁ ମୁକାବିଲାର ବିଜୟୀ ଦଳ ସହ ଶୁକ୍ରବାର ଏହି ମ୍ୟାଚ୍ ଖେଳିବ। ଫାଇନାଲ୍ ରବିବାର ଖେଳାଯିବ। ବୋଲରଙ୍କ ଧମାକା ପରେ ଶ୍ରେୟସ ଆୟର୍ (୨୪ ବଲ୍‌ରୁ ୫୮* ରନ୍‌, ୫ ଚୌକା, ୪ ଚୌକା) ଓ ଭେଙ୍କଟେଶ ଆୟର (୨୮ ବଲ୍‌ରୁ ୫୧* ରନ୍, ୫ ଚୌକା, ୪ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ କାରଣରୁ କେକେଆର୍‌ ୩୮ ବଲ୍ ପୂର୍ବରୁ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା।

ଦୁଇ ବ୍ୟାଟିଂ ପାୱାରହାଉସ୍‌ଙ୍କ ଏହି ବଡ଼ ଲଢ଼େଇରେ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଶୀର୍ଷକ୍ରମ ବ୍ୟାଟର୍‌ମାନେ ତାଙ୍କ ନିଷ୍ପତ୍ତିର ସମ୍ମାନ ରଖି ନଥିଲେ। ବେପରୁଆ ବ୍ୟାଟିଂ ଓ ଦୁର୍ବଳ ସଟ୍ ଚୟନ କରି ଦଳକୁ ଆରମ୍ଭରୁ ସଙ୍କଟ ଭିତରକୁ ଠେଲି ଦେଇଥିଲେ। ଓପନର ଟ୍ରାଭିସ୍ ହେଡ୍ ଲଗାତାର ଦ୍ବିତୀୟ ମ୍ୟାଚ୍ ପାଇଁ ଖାତା ଖୋଲି ପାରିନଥିଲେ। ଯୁବ ତାରକା ଅଭିଷେକ ଶର୍ମା (୩), ନୀତୀଶ କୁମାର ରେଡ୍ଡୀ (୯) ପୂରା ବିଫଳ ହେବା ସହ ଶାହବାଜ ଅହମ୍ମଦ ଖାତା ଖୋଲି ପାରି ନଥିଲେ। ଅନ୍ୟପକ୍ଷରେ ମହଙ୍ଗା ଦର ପାଇଁ ଚର୍ଚ୍ଚାରେ ରହି ଆସିଥିବା କୋଲକାତାର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଠିକଣା ସମୟରେ ନିଜ ମହକ ଛାଡ଼ିଥିଲେ।

ପ୍ରଥମ ଓଭରର ଦ୍ବିତୀୟ ବଲ୍‌ରେ ବିପଜ୍ଜନକ ହେଡ୍‌ଙ୍କୁ ଶିକାର କରିବା ପରେ ପଞ୍ଚମ ଓଭରର ଶେଷ ଦୁଇ ବଲ୍‌ରେ ନୀତୀଶ ଓ ଶାହବାଜଙ୍କୁ ଆଉଟ୍ କରି କୋଲ୍‌କାତା ଶିବିରରେ ସେ ଖୁସିର ଲହରି ଖେଳାଇ ଦେଇଥିଲେ। ଚମତ୍କାର ଫର୍ମରେ ଥିବା ଅଭିଷେକଙ୍କୁ ବୈଭବ ଅରୋଡ଼ା ଏଲ୍‌ବିଡବ୍ଲ୍ୟୁ କରି ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ। ହାଇଦ୍ରାବାଦ ୩୯ ରନ୍‌ରେ ୪ ୱିକେଟ୍ ହରାଇ ସଂଘର୍ଷ କରୁଥିବାରୁ ରାହୁଲ ତ୍ରିପାଠୀ ଓ ହେନରିକ୍ କ୍ଲାସେଁ ପାଳି ପୁନର୍ଗଠନ ଉପରେ ଧ୍ୟାନ ଦେଇଥିଲେ। ତେବେ ବରୁଣ ଚକ୍ରବର୍ତ୍ତୀ ଚତୁରତାର ସହ ହେନରିକଙ୍କୁ ଆଉଟ୍ କରି ଯୋଡ଼ି ଭାଙ୍ଗିଥିଲେ। ୨୯ ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିବା ରାହୁଲ ଦୁର୍ଭାଗ୍ୟଜନକ ଭାବେ ରନ୍‌ଆଉଟ୍ ହେବା ହାଇଦ୍ରାବାଦ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଅବଦୁଲ ସମଦଙ୍କ ସହ ଭୁଲ୍‌ ବୁଝାମଣାର ମୂଲ୍ୟ ରାହୁଲଙ୍କୁ ଦେବାକୁ ପଡ଼ିଥିଲା। ପ୍ୟାଟ୍ କମିନ୍ସ ୨୪ ବଲ୍‌ରୁ ୩୨ ରନ୍‌ର ପାଳି ଖେଳିଥିଲେ।

Related posts

ସନ୍ୟାସ ନେଲେ ଜିମ୍ବାୱେ କ୍ରିକେଟ ଟିମର କ୍ୟାପଟେନ୍ ହାମିଲଟନ୍

Odisha Sports Bureau

ଆଇପିଏଲ୍‌ରେ ପୁଣି ଥରେ ପଦାର୍ପଣ କଲା ଭଳି ଲାଗୁଛି: ଋଷଭ ପନ୍ତ

Odisha Sports Bureau

କ୍ରିକେଟର ରିଷଭ ପନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସହାୟତା କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ

Odisha Sports Bureau